
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା “ଅନନ୍ୟା” ଯୁକ୍ତ ୨ରୁ ସ୍ନାତୋକୋତ୍ତରର ସମସ୍ତ କଳା ଓ ବିଜ୍ଞାନ ଛାତ୍ରୀଙ୍କୁ ବିତରଣ କରାଯାଇଥିଲା । ଏହି ବିତରଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଛାତ୍ରୀମାନଙ୍କର ସାହିତ୍ୟିକ ପ୍ରତିଭାକୁ ପ୍ରଶଂସା କରିଥିଲେ ଏବଂ ଏପରି ସୃଜନଶୀଳ ପ୍ରୟାସ ତାଙ୍କର ବ୍ୟକ୍ତିତ୍ୱ ବିକାଶରେ ମୁଖ୍ୟ ଭୂମିକା ନେବ ବୋଲି କହିଥିଲେ । ପତ୍ରିକା “ଅନନ୍ୟା”ର ସଫଳ ପ୍ରକାଶନ ପଛରେ ସମ୍ପାଦନା ମଣ୍ଡଳୀର ସହକାରୀ ଅଧ୍ୟାପକ ସଂସ୍କୃତ ବିଭାଗ ଡଃ. ସଦାଶିବ ମଲ୍ଲିକ, ସହକାରୀ ଅଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ରତିକାନ୍ତ ନାଏକ, ସହକାରୀ ବିଭାଗ ଅଧ୍ୟକ୍ଷା ଇଂରାଜୀ ବିଭାଗ ଡଃ. ଅନୁରାଧା ମିଶ୍ରଙ୍କ ଭୂମିକା ଅଛି ବୋଲି ପତ୍ରିକାର ସମ୍ପାଦକ ଅଧ୍ୟକ୍ଷ ଡଃ. ଅରବିନ୍ଦ ଓଝା ମତ ପ୍ରକାଶ କରିବା ସହ ପତ୍ରିକାର ସାମଗ୍ରୀ ଚୟନ, ସମ୍ପାଦନା, ଭାଷା ଶୈଳୀର ସୁନିଶ୍ଚିତତା ଗୁଣତ୍ୱ ରକ୍ଷାରେ ସେମାନଙ୍କ ନିଷ୍ଠା ପୂର୍ଣ୍ଣ ପ୍ରୟାସ ଅନନ୍ୟାକୁ ଏକ ଉଚ୍ଚମାନର ମୁଖପତ୍ର ଭାବେ ପରିଚିତ କରାଇଛି । ବାର୍ଷିକ ପତ୍ରିକା “ଅନନ୍ୟା”ର ପ୍ରଥମ ପୃଷ୍ଠା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଥିବା ଏହି ଚିତ୍ରଟି କେବଳ ଏକ ସାଧାରଣ ଚିତ୍ର ନୁହେଁ, ବରଂ ଏହା ଶିକ୍ଷା, କଳ୍ପନା ଓ ସ୍ୱପ୍ନର ଏକ ସୁନ୍ଦର ସମନ୍ୱୟକୁ ପ୍ରତିଫଳିତ କରୁଛି । ଚିତ୍ରରେ ଦେଖାଯାଉଛି ଜଣେ ଛାତ୍ରୀ ପୃଥିବୀର ଗ୍ଲୋବ ଉପରେ ବସି ଗୋଟିଏ ପୁସ୍ତକ ପଢୁଛନ୍ତି । ଏହି ଦୃଶ୍ୟ ଶିକ୍ଷାର ଶକ୍ତି ଓ ଜ୍ଞାନର ଅସୀମ ସମ୍ଭାବନାକୁ ସ୍ପଷ୍ଟ କରୁଛି । ଗ୍ଲୋବ ଉପରେ ବସିଥିବା ଛାତ୍ରୀ ଦେଖାଉଛି ଯେ, ଶିକ୍ଷା ଦ୍ୱାରା ସମଗ୍ର ପୃଥିବୀକୁ ଜିତିବା ସମ୍ଭବ।ପୁସ୍ତକ ପଢ଼ୁଥିବା ଏହି ଛବି ଜ୍ଞାନାର୍ଜନର ପ୍ରତି ଆକର୍ଷଣ ଓ ନିରନ୍ତର ଅଭ୍ୟାସର ପ୍ରତୀକ ଅଟେ । ଏହି ପ୍ରଚ୍ଛଦ ପୃଷ୍ଠାର ଅଳଙ୍କରଣ ଦାୟିତ୍ୱ ନିର୍ବାହ କରିଥିଲେ ଅତିଥି ଅଧ୍ୟାପକ ଆଦର୍ଶ ମହାପାତ୍ର ଓ ସିଦ୍ଧାର୍ଥ ଦାଶ । ସଂସ୍କୃତରେ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଛନ୍ତି ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡଃ.ସଦାଶିବ ମଲ୍ଲିକ । ସମ୍ପାଦକୀୟ ବିବରଣୀ ପରେ ୨୦୨୫ ମସିହାର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ରଙ୍ଗୀନ ଫଟୋଚିତ୍ରକୁ ନେଇ “ବର୍ଷ ୨୦୨୫ର କିଛି ଅଭୁଲା ସ୍ମୃତି” ଶୀର୍ଷକ ୨୫ଗୋଟି ରଙ୍ଗୀନ ଫଟୋଚିତ୍ର ସ୍ଥାନ ପାଇଛି । ସୂଚୀପତ୍ରର ସୂଚନା ଆଧାରରେ ଏହି ପତ୍ରିକାରେ ୭ଟି ଓଡ଼ିଆ ପ୍ରବନ୍ଧ, ୫ଟି ଓଡ଼ିଆ ଗଳ୍ପ,୧୬ଟି ଓଡ଼ିଆ କବିତା, ହିନ୍ଦୀର ଗୋଟିଏ ପ୍ରେରଣା ଦାୟକ କାହାଣୀ ସହ ୫ଟି ହିନ୍ଦୀ କବିତା, ୧୨ଟି ସଂସ୍କୃତ ପ୍ରବନ୍ଧ, ୬ଟି ଇଂରାଜୀ ପ୍ରବନ୍ଧ ଓ ୫ଟି ଇଂରାଜୀ କବିତା ସ୍ଥାନ ପାଇଛି । ତା’ ପରେ “ଅନନ୍ୟା” ଶୀର୍ଷକ ପତ୍ରିକାର ମାଲିକାନା ତଥା ବୈଶିଷ୍ଟ୍ୟ ସମ୍ପର୍କୀୟ ବିବରଣୀ ପ୍ରଦାନ କରାଯାଇଛି । ଏହା ସହ ବର୍ଷ ୨୦୨୪-୨୫ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବିଭାଗର ରାଷ୍ଟ୍ରୀୟ ସଂଗୋଷ୍ଠୀର ରଙ୍ଗୀନ ଫଟୋ ଚିତ୍ର ସ୍ଥାନୀତ ହୋଇଛି । ପତ୍ରିକାର ଅନ୍ତିମ ଫର୍ଦ୍ଦରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ମାନଙ୍କ ସହ ଉଠେଇଥିବା ଫଟୋ ମାଧ୍ୟମରେ ଶିକ୍ଷା ସହିତ ଆତ୍ମବିଶ୍ୱାସ, ଏକତା, ସେବା ଭାବ, ନେତୃତ୍ୱ ଗୁଣ ଓ ଦେଶଭକ୍ତିର ଶିକ୍ଷା ଦିଆଯାଉଥିବା ଦର୍ଶାଯାଇଛି ।