ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି ଏବଂ ଅଭ୍ୟାସଗୁଡ଼ିକର ଏକ ବ୍ୟାପକ ଢାଞ୍ଚା ରହିବା ଆବଶ୍ୟକ : ଡକ୍ଟର ପି.କେ. ମିଶ୍ର

● ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସରକାର ‘ଆତ୍ମନିର୍ଭର’ ହେବା ଉପରେ ଧ୍ୟାନ ଦେଇ କୋଭିଡ-୧୯ ମହାମାରୀ, ୟୁକ୍ରେନ-ରୁଷ ବିବାଦ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଅସ୍ଥିର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ
● ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ବହୁମୁଖୀ ଏବଂ ଗତିଶୀଳ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି
● ଉପଭୋକ୍ତା ଓ ମାନବ ସମ୍ବଳ ଶକ୍ତି ସହିତ ଭୂ-ରାଜନୈତିକ ଆହ୍ୱାନର ମୁକାବିଲା କରିବାରେ ଭାରତର ସାମର୍ଥ୍ୟକୁ ନେଇ ଆଶା ବ୍ୟକ୍ତ କଲେ ଡକ୍ଟର ପି.କେ. ମିଶ୍ର; ଦେଶର ସୁଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ବୈଷୟିକ ସାମର୍ଥ୍ୟ ମଧ୍ୟ ଏ ଦିଗରେ ସହାୟକ ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ବ୍ୟବସ୍ଥାରେ ଯେକୌଣସି ନୀତି ନିର୍ଦ୍ଧାରଣ କରିବା ସମୟରେ ଅନିଶ୍ଚିତତାକୁ ଧ୍ୟାନରେ ରଖି ଏକ ବ୍ୟାପକ ରୂପରେଖ ଏବଂ ଫଳାଫଳ ଆଧାରିତ ସୃଜନଶୀଳ ମାନସିକତା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ନୂଆଦିଲ୍ଲୀରେ ନିକଟରେ ଆୟୋଜିତ ବିଜନେସ ଷ୍ଟାଣ୍ଡାର୍ଡ ମନ୍ଥନ ଶିଖର ସମ୍ମିଳନୀରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ ଯେ, ସରକାର ‘ଆତ୍ମନିର୍ଭର’ ହେବା ଉପରେ ଧ୍ୟାନ ଦେଇ କୋଭିଡ-୧୯ ମହାମାରୀ, ୟୁକ୍ରେନ-ରୁଷ ବିବାଦ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଅସ୍ଥିର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ । ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ସହିତ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ଉପରେ ସେ ଧ୍ୟାନ ଦେଇଛନ୍ତି । ବଦଳୁଥିବା ପରିସ୍ଥିତିରେ ଦେଖା ଦେଉଥିବା ସମସ୍ୟାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଅନେକ ସଂସ୍କାର ପ୍ରବର୍ତ୍ତନ କରିଥିବା ସେ କହିଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥା କିଭଳି ଭାବେ ଅନେକ ଆହ୍ୱାନର ସାମ୍ନା କରିଥିଲା ତାହା ଡକ୍ଟର ମିଶ୍ର ଏହି ମତବିନିମୟ ଅବସରରେ କହିଥିଲେ । ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ଏବଂ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନକୁ ଭାରତ ଦୃଢ଼ ଭାବେ ମୁକାବିଲା କରିଥିଲା । କୋଭିଡ-୧୯ ମହାମାରୀ ସମୟରେ ଯେତେବେଳେ ଭାରତ ସମେତ ସମଗ୍ର ବିଶ୍ୱ ଅଶାନ୍ତ ଅବସ୍ଥାରେ ଥିଲା, ସେତେବେଳେ ଭାରତ ଆହ୍ୱାନଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଏବଂ ସଫଳତାର ସହ ମୁକାବିଲା କରିପାରିଥିଲା । ଏହି ସମୟରେ ଦେଶ କେତେକ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବା ସହିତ ଆର୍ଥିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ନେଇଥିଲା । ଅଭିବୃଦ୍ଧିର ଗତି ପୁନଃସ୍ଥାପିତ ହୋଇଥିଲା । ସେ ସରକାରଙ୍କ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଏବଂ ଭାରତର ଉପଭୋଗ ଆଧାର ତଥା ଜନସାଂଖିକୀୟ ଲାଭର ଲାଭ ଉଠାଇବା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଭାରତର ଉତ୍ପାଦନ-ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ବିଷୟରେ ମତ ରଖି ଡକ୍ଟର ମିଶ୍ର ଏହାର ସକାରାତ୍ମକ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ । ଏଥିସହିତ ଏହି ଯୋଜନାର ଦୀର୍ଘକାଳୀନ ମୂଲ୍ୟାଙ୍କନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ଚାଲିଥିବା ସଂରକ୍ଷଣବାଦ ଏବଂ ୱାଶିଂଟନ୍ ସର୍ବସମ୍ମତିର ଭାଙ୍ଗିବା ପରିପ୍ରେକ୍ଷୀରେ ଡକ୍ଟର ମିଶ୍ର କହିଥିଲେ, ବିଶ୍ୱ ସହିତ ଭାରତର ଆର୍ଥିକ ସମ୍ପର୍କରେ ଆମର ନୀତିଗତ ଆଭିମୁଖ୍ୟ ଅତ୍ୟନ୍ତ ସୁସଂଗତ ରହିଛି । ସେ କହିଥିଲେ, ପାରସ୍ପରିକ ଲାଭପ୍ରଦ ଭିତ୍ତିରେ ଅନ୍ୟ ଦେଶଗୁଡ଼ିକ ସହିତ ସମ୍ପର୍କ ସ୍ଥାପନରେ ଭାରତର ବିଶ୍ୱାସକୁ ଜାରି କରାଯାଇଛି । ନିକଟରେ ଅଷ୍ଟ୍ରେଲିଆ, ୟୁଏଇ ଏବଂ ଇଏଫ୍‌ଟିଏ ସହିତ ହୋଇଥିବା ଏଫ୍‌ଟିଏର ଉଦାହରଣ ଦେଇ ସେ ବ୍ରିଟେନ ଏବଂ ୟୁରୋପୀୟ ସଂଘ ସହିତ ଚାଲିଥିବା ଆଲୋଚନା ବିଷୟରେ ଉଲ୍ଲେଖ କରିଥିଲେ । ଏହି ଆଭିମୁଖ୍ୟ ଭାରତକୁ ପରିବର୍ତ୍ତିତ ଆହ୍ୱାନଗୁଡ଼ିକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ନୂତନ ଆଭିମୁଖ୍ୟ ସହିତ ଅନିଶ୍ଚିତତାର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯେଉଁଠାରେ କେବଳ ବିପଦ ଆକଳନ ନୁହେଁ ବରଂ ଏକ ‘ଅଭଙ୍ଗୁର ବ୍ୟବସ୍ଥା’ ନିର୍ମାଣ କରିବା ମଧ୍ୟ ଆମର ଉଦ୍ଦେଶ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଆମ ବ୍ୟବସ୍ଥା କେବଳ ନମନୀୟ ହେବା ଉଚିତ ନୁହେଁ, ବରଂ ‘ଅଭଙ୍ଗୁର’ ମଧ୍ୟ ହେବା ଉଚିତ । ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟ ଆମେରିକା ଗସ୍ତ ବିଷୟରେ ଉଲ୍ଲେଖ କରି ଏହାକୁ କେବଳ ସଙ୍କଟ ମୁକାବିଲା ପାଇଁ ଜବାବୀ ପଦକ୍ଷେପ ପରିବର୍ତ୍ତେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଏବଂ ‘ସୁଯୋଗ’ ଦିଗରେ ଆଗକୁ ବଢ଼ିବା ଦୃଷ୍ଟିକୋଣରୁ ‘ଅତ୍ୟନ୍ତ ସକରାତ୍ମକ’ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ କେବଳ ଦ୍ୱିପାକ୍ଷିକ, ଆଞ୍ଚଳିକ ନୁହେଁ, ବରଂ ବିକଶିତ ହେଉଥିବା ବିଶ୍ୱ ବାଣିଜ୍ୟ ପରିବେଶରେ ବହୁପକ୍ଷୀୟ ସମ୍ପର୍କ ମଧ୍ୟ ଆର୍ଥିକ ପରିଦୃଶ୍ୟକୁ ବଦଳାଇ ଦେଉଛି । ଭାରତର ବ୍ୟାପକ ଉପଭୋକ୍ତା ଆଧାର ଏବଂ ଜନସାଂଖିକୀୟ ଲାଭକୁ ନେଇ ଡକ୍ଟର ମିଶ୍ର ବେଶ୍ ଆଶା ବ୍ୟକ୍ତ କରିଥିଲେ । ଏହା ଏକ ସୁଦୃଢ଼ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ବୈଷୟିକ ସାମର୍ଥ୍ୟ ଦ୍ୱାରା ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ଭାରତ ବାହ୍ୟ ଚାପର ମୁକାବିଲା କରିବା ଏବଂ ନିଜର ସ୍ଥିତି ଦୃଢ଼ ରଖି ବୁଝାମଣା କରିବାରେ ସକ୍ଷମ ହେବା ଉଚିତ । ଆର୍ଥିକ ବିଶ୍ଳେଷକ ନାସିମ୍ ନିକୋଲାସ୍ ତାଲେବଙ୍କ କାର୍ଯ୍ୟକୁ ଉଦ୍ଧୃତ କରି ଡକ୍ଟର ମିଶ୍ର କହିଥିଲେ, କେବଳ ନମନୀୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଅଭଙ୍ଗୁର ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ୍ । ସେ କହିଥିଲେ ଯେ ନୀତିଗୁଡ଼ିକର ସ୍ଥିରତା ଉପରେ ଧ୍ୟାନ ଦେଇ ବିଶ୍ଳେଷଣାତ୍ମକ ଦୃଷ୍ଟିକୋଣ ସହିତ ପ୍ରସ୍ତୁତ କରାଯାଇଥାଏ । ଭାରତର କୃଷି କ୍ଷେତ୍ର ଉପରେ ମତ ରଖି, ଡକ୍ଟର ମିଶ୍ର କହିଥିଲେ ଯେ ଦେଶର ମୋଟ ଶ୍ରମଶକ୍ତିର ପ୍ରାୟ ୪୬ ପ୍ରତିଶତ ଏହି କ୍ଷେତ୍ରରେ ରହିଛି, ଯଦିଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଏହାର ଅଂଶ ୧୯୭୦ ଦଶକରେ ପ୍ରାୟ ୫୦ ପ୍ରତିଶତରୁ ବର୍ତ୍ତମାନ ୧୮ ପ୍ରତିଶତକୁ ହ୍ରାସ ପାଇଛି । କୃଷିରେ ବିବିଧତା ଆଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ମିଶ୍ର ମତବ୍ୟକ୍ତ କରିଥିଲେ । ପ୍ରଶାସନିକ ସେବା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଡକ୍ଟର ମିଶ୍ର କହିଥିଲେ ଯେ ପ୍ରଶାସନର ପରିବର୍ତ୍ତିତ ଆବଶ୍ୟକତା ସହିତ ତାଳ ଦେଇ ଏହି କ୍ଷେତ୍ରର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣ ପାଇଁ ଭାରତ ନିରନ୍ତର ଓ ବିକାଶଶୀଳ ପ୍ରୟାସ ପ୍ରଦର୍ଶନ କରୁଛି । ନିରନ୍ତର ନବସୃଜନ, ଆଜୀବନ ଶିକ୍ଷା ଏବଂ ସ୍ଥିର ବିଶ୍ୱସନୀୟତା ମଧ୍ୟ ଏହି ଆଭିମୁଖ୍ୟରେ ରହିଛି । ଗତ ଦଶନ୍ଧି ମଧ୍ୟରେ, କର୍ମଚାରୀ ପରିଚାଳନା ବ୍ୟବସ୍ଥାରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି । ‘ମିଶନ କର୍ମଯୋଗୀ’ ଏବଂ ’ସମନ୍ୱିତ ସରକାରୀ ଅନଲାଇନ ତାଲିମ’ (ଆଇଜିଓଟି) ମଞ୍ଚ ଭଳି ନୂତନ ପଦକ୍ଷେପଗୁଡ଼ିକ କାର୍ମିକ ପରିଚାଳନା କ୍ଷେତ୍ରରେ ଦକ୍ଷତା ଆଧାରିତ ଏବଂ ସାମଗ୍ରିକ ଆଭିମୁଖ୍ୟ ପ୍ରବର୍ତ୍ତନ କରିଛନ୍ତି । ପ୍ରଶାସନକୁ ଅଧିକ ସୁଗମ୍ୟ, ଦକ୍ଷ ଏବଂ ନାଗରିକ ଅନୁକୂଳ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଭଳି କ୍ଷେତ୍ରରେ ସଂସ୍କାର ଜାରି ରହିବ ।

Leave A Reply

Your email address will not be published.