pakka

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗି ଦେଲା ଜନ୍ମ କଲା ମାଆ : ଆଦିବାସୀ ଦମ୍ପତି ଉଦ୍ଧାର କରି ପାଳିଲେ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର କହି ଆସୁଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା ପ୍ରଣୟନ କରିଛନ୍ତି । ଏସବୁ ସତ୍ୱେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି । ଜନ୍ମ ଦେବା ପରେ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ମା’ ନଦୀ କୂଳେ ଫୋପାଡି ଚାଲିଯାଇଥିଲା । ସେ କେମିତିକା ମା’, ଯିଏ କନ୍ୟାକୁ ଜନ୍ମ ଦେବା ପରେ ନଦୀ କୂଳରେ ଫୋପାଡ଼ି ଦେଇ ଚାଲିଯାଉଛି ! ବାସ୍ତବରେ ବଡ଼ ଦୁଃଖଦାୟକ ତଥା ଆଶ୍ଚର୍ୟ୍ୟଜନକ ଘଟଣା । କିନ୍ତୁ ନିୟତିର ନୀତି କିଛି ଅଲଗା ଥିଲା । ନବଜାତ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ବାଜିଲା ଜଣେ ସୁହୃଦୟ ଆଦିବାସୀ ବ୍ୟକ୍ତିଙ୍କ କାନରେ । ଭାବପ୍ରବଣ ହୋଇ କୋଳେଇ ନେଲେ ଶିଶୁ କନ୍ୟାକୁ ଏବଂ ସାଥୀରେ ଘରକୁ ବି ନେଇଗଲେ ବ୍ୟକ୍ତି ଜଣକ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍‌ ଗଦଡ଼ି ଗାଁରେ । ମା’ର ଅନେକ ରୂପ । ସେ ଜନ୍ମଦାତ୍ରୀ, ମମତାମୟୀ, ସ୍ନେହମୟୀ । କୁହାଯାଏ, ମା’ର ପଣତକାନି ପିଲାଙ୍କୁ ସବୁ ସଙ୍କଟ, ବାଧା ବିଘ୍ନରୁ ମୁକ୍ତି ଦିଏ । ମା’ ଥିବା ପିଲାଙ୍କର କେବେ କିଛି ଅଭାବ ହୁଏନାହିଁ । ହେଲେ ଏଭଳି ଘଟଣା ସବୁ ମା’ଙ୍କୁ ଆଚମ୍ବିତ କରିବ । ୯ ମାସ କାଳ ଗର୍ଭରେ ଧରି ଛୁଆକୁ ଜନ୍ମ ଦେବା ପରେ କୋଉଁ ମା’ କେବେ କ’ଣ ତା ଛୁଆକୁ ଫୋପାଡ଼ି ଦେବ ? ଏକଥା ବିଶ୍ୱାସ ନଲାଗିଲେ ବି ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ୨୯ ତାରିଖ, ସମୟ ପାଖାପାଖି ରାତି ୯ଟା ହେବ । ଦାରିଙ୍ଗବାଡି ବ୍ଲକ୍‌ ଗଦଡ଼ି ଗାଁର ଆଦିବାସୀ ବ୍ୟକ୍ତି ଶାମସନ୍‌ ପ୍ରଧାନ କାମରୁ ଫେରିବା ସମୟରେ ଗଦଡ଼ି ନାଳ ନିକଟରେ କଅଁଳା ଛୁଆର କୁଆଁ କୁଆଁ କାନ୍ଦ ଶୁଣି ପ୍ରଥମେ ଚମକି ପଡ଼ିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାହାସ କରି କାନ୍ଦ ଶୁଭୁଥିବା ସ୍ଥାନ ଆଡ଼କୁ ଯାଇଥିଲେ । ସେଠାରେ ଦେଖିଲା ବେଳକୁ ଗୋଟିଏ ନବଜାତ ଶିଶୁକନ୍ୟା ରାହା ଧରି କାନ୍ଦୁଛି । ଭାବପ୍ରବଣ ହୋଇ ଶାମସନ୍‌ ଶିଶୁ କନ୍ୟାକୁ କୋଳେଇ ନେବା ସହ ଘରକୁ ନେଇଯାଇଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ସନ୍ତାନ ଭଳି ଶିଶୁ କନ୍ୟାର ଯତ୍ନ ନେଉଛନ୍ତି । ପୂର୍ବରୁ ଶାମସନ୍‌ଙ୍କ ୪ଟି ପୁଅ ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ଶାମସନ୍‌ ଗରିବ ଶ୍ରେଣୀର ହୋଇଥିବା ବେଳେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଗଦଡ଼ି ଗାଁର ଶାମସନ୍‌ ପ୍ରଧାନ, ମୁଲ ଲାଗିଲେ ଘର ଚଳୁଛି । ଅଭାବ ଅନଟନରେ ନିଜର ୫ଟି ଛୁଆକୁ ପାଳନ କରିବା ସତ୍ୱେ ନଦୀ କଡ଼ରୁ କଅଁଳା ଶିଶୁ କନ୍ୟାକୁ ଆଣି ପାଳନ କରିବା ସହ ତା’ ଭବିଷ୍ୟତ ମଧ୍ୟ ଚିନ୍ତା କରୁଛନ୍ତି ଶାମସନ୍‌ ଓ ତାଙ୍କ ସ୍ତ୍ରୀ । ନିଜ ଓ ନିଜ ପରିବାର କଥା ନଭାବି ଶିଶୁ କନ୍ୟାକୁ କୋଳେଇ ନେଇ ମାନବିକତାର ପରିଚୟ ଦେଇଛନ୍ତି ଆଦିବାସୀ ବ୍ୟକ୍ତି ଶାମସନ୍‌ । ଶାମସନଙ୍କ ଏଭଳି ମହତ କାର୍ୟ୍ୟକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

15 − 12 =