
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ରାଉରକେଲାର ଆନୁକୂଲ୍ୟରେ ସ୍ଥାନୀୟ ଡକ୍ଟର ଏ.ଏନ୍. ଖୋସଲା ଡି. ଏ. ଭି. ସ୍କୁଲ ପରିସରରେ ‘ନିଶାମୁକ୍ତ ଭାରତ ଅଭିଯାନ–୨୦୨୬’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସମୀର କୁମାର କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ କ୍ରାଇମ୍ ବ୍ରାଞ୍ଚ, ରାଉରକେଲାର ଇନ୍ସପେକ୍ଟର ଉମେଶ ଚନ୍ଦ୍ର ବେହେରା ମୁଖ୍ୟ ପ୍ରବକ୍ତା ଭାବେ ଯୋଗଦେଇ ନିଶାସେବନର କୁପ୍ରଭାବ, ଯୁବପିଢ଼ି ଉପରେ ଏହାର ପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଏକ ସଚେତନତାମୂଳକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ରହ୍ମକୁମାରୀ ବି.କେ. ଲକ୍ଷ୍ମୀ ଧ୍ୟାନର ଉପକାରିତା ଏବଂ ଧ୍ୟାନ କରିବାର ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ପରେ ବ୍ରହ୍ମକୁମାରୀ ବି.କେ. ଅଞ୍ଜନାଙ୍କ ନିରୀକ୍ଷଣରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ । ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ସଚେତନତାମୂଳକ ଆଲୋଚନାଚକ୍ରରେ ଯୋଗଦେଇଥିଲେ । ବିଦ୍ୟାଳୟର କାଉନସେଲର ଶୃତି ସାଗରିକା ଦେବ୍ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା ।