
ପଦ୍ମପୁର, (ନିରୋଜ କୁମାର ପାଣୀ) : କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଦକ୍ଷତା ବିକାଶ, ସଚେତନତା ସୃଷ୍ଟି, ବ୍ୟବହାରିକ ପରିବର୍ତ୍ତନ ଏବଂ ସରକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୁରୁବାର “ନୀତି ଫର୍ ଷ୍ଟେଟ୍ ୟୁଜ୍-କେସ୍ ଚ୍ୟାଲେଞ୍ଜ” ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ସମିତି କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ସଭାପତିତ୍ୱ କରିଥିଲେ । ଏଥିରେ ସ୍ୱାସ୍ଥ୍ୟ ଓ ପୁଷ୍ଟି ସହିତ କୃଷି ଓ ଆନୁଷଙ୍ଗିକ ସେବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ଓ ପୁଷ୍ଟି ଅଧିବେଶନରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମୁଦାୟର ସକ୍ରିୟ ଅଂଶଗ୍ରହଣ ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସ୍ୱାସ୍ଥ୍ୟ ଓ ପୁଷ୍ଟି ସୂଚକାଙ୍କରେ ଉନ୍ନତି ଆଣିବା ନେଇ ମତ ବିନିମୟ ହୋଇଥିଲା । ସେହିପରି କୃଷି ଓ ଆନୁଷଙ୍ଗିକ ସେବା ଅଧିବେଶନରେ ବୈଜ୍ଞାନିକ କୃଷି ପଦ୍ଧତି, ଫସଲ ବିବିଧକରଣ, କୃଷକଙ୍କ ପାଇଁ ଉପଲବ୍ଧ ସରକାରୀ ସେବା ଓ ବିଭିନ୍ନ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଥିଲା । କୃଷକମାନଙ୍କ ମଧ୍ୟରେ ସକାରାତ୍ମକ ବ୍ୟବହାରିକ ପରିବର୍ତ୍ତନ ଆଣିବା ସହ ଉନ୍ନତ କୃଷି ପଦ୍ଧତି ଆପଣେଇବା ପାଇଁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ସରୋଜ ସାମଲ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ନୀତି ଫର୍ ଷ୍ଟେଟ୍ ୟୁଜ୍-କେସ୍ ଚ୍ୟାଲେଞ୍ଜର ଉଦ୍ଦେଶ୍ୟ, କ୍ଷେତ୍ରସ୍ତରରେ ସରକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ବିଭାଗୀୟ ସମନ୍ୱୟର ଗୁରୁତ୍ୱ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏଥିରେ ଚେୟାରମ୍ୟାନ୍ ଭାବନା ସିଂ, ସିଡିପିଓ ବାସନ୍ତୀ ପୂର୍ତ୍ତି, ଆଇସିଡିଏସ୍, ବ୍ଲକ କୃଷି ଅଧିକାରୀ ନୂତନ କୁମାର ସୁରେନ, ଚିକିତ୍ସା ଅଧିକାରୀ ଅଭିଳାଷ ମହାନ୍ତି, ଆସ୍ପିରେସନାଲ ବ୍ଲକ ଫେଲୋ, ନୀତି ଆୟୋଗର ପ୍ରତିନିଧିଙ୍କ ସମେତ ସମ୍ପୃକ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟି ବିଭାଗୀୟ ସମନ୍ୱୟ, ଜ୍ଞାନ ବିନିମୟ ଓ କ୍ଷମତା ବିକାଶ ପାଇଁ ଏକ ଉପଯୋଗୀ ମଞ୍ଚ ପ୍ରଦାନ କରିଥିଲା । ମଧୁସ୍ମିତା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟାୟର ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା, ଅଭିନବ ପଦକ୍ଷେପ ଚିହ୍ନଟ କରିବା ଏବଂ ଦୀର୍ଘସ୍ଥାୟୀ ବ୍ୟବହାରିକ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।