ବିଶିଷ୍ଟ ଆଇନଜୀବୀ ଜଗଦୀଶ ମିଶ୍ରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୯ ତାରିଖ ପୂର୍ବାହ୍ନ ୧୦ଟାରେ ପଦ୍ମପୁରର ବିଶିଷ୍ଟ ଆଇନଜୀବୀ ଜଗଦୀଶ ମିଶ୍ରଙ୍କ ତାଙ୍କ ବରଗଡ଼ ସ୍ଥିତ କନିଷ୍ଠ ପୁତ୍ର ସୁକାନ୍ତ ମିଶ୍ରଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ଖବର ପହଞ୍ଚିବା ମାତ୍ରେ ସହରରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତ ମିଶ୍ର ୧୯୨୯ ମସିହାରେ ବରଗଡ଼ ଠାରେ ଜଣାଶୁଣା ଆଇନଜୀବୀ ସ୍ବର୍ଗତ ବିଶ୍ବକେଶନ ମିଶ୍ର ଓ ସ୍ବର୍ଗତ ଲକ୍ଷ୍ମୀ ମିଶ୍ରଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । କୋଲକାତାରେ ଆଇନ ଶିକ୍ଷା ଲାଭ କରି ସମ୍ବଲପୁରରେ ପ୍ରଥମେ ଓକିଲାତି କରିଥିଲେ । ପରବର୍ତ୍ତୀ ସମୟରେ ବରଗଡ଼ରେ କିଛି ଦିନ ଓକିଲାତି କରିବା ପରେ ୧୯୬୯ ମସିହାରେ ପଦ୍ମପୁରକୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଇଥିଲେ । ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ବେଶ୍ ଖ୍ୟାତି ଥିଲା । ନିଜର ଅମାୟିକ ସ୍ବଭାବକୁ ନେଇ ସେ ସର୍ବତ୍ର ପରିଚିତ ଥିଲେ । ପଦ୍ମପୁରର ଅନେକ ଶିକ୍ଷା ତଥା ସାମାଜିକ ଅନୁଷ୍ଠାନ ସହିତ ସେ ଜୀବନର ଶେଷ ସମୟ ପର୍ୟ୍ୟନ୍ତ ଯୋଡି ହୋଇ ରହିଥିଲେ । ତାଙ୍କର ମର ଶରୀର ପଦ୍ମପୁର ବାସଭବନକୁ ପହଞ୍ଚିବା ପରେ ଅନେକ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସହରର ପାଟଣାଗଡ ରାସ୍ତାରେ ଥିବା ମସାଣିରେ ତାଙ୍କର ଶବଦାହ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ରଜନୀକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ । କିଛି ବର୍ଷ ପୂର୍ବରୁ ତାଙ୍କର ଧର୍ମପତ୍ନୀଙ୍କ ବିୟୋଗ ଘଟିଥିଲା । ସେ ତାଙ୍କ ପଛରେ ଦୁଇ ପୁଅ ରଜନୀକାନ୍ତ, ସୁକାନ୍ତ, ଦୁଇବୋହୁ, ଝିଅ, ଜ୍ବାଇଁ ଓ ନାତି ନାତୁଣୀଙ୍କୁ ଛାଡି ଚାଳି ଯାଇଛନ୍ତି । ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଅଂଚଳବାସୀ ।

Leave A Reply

Your email address will not be published.