ଉଡାର ପଂଚାୟତରେ ଅଭିଯୋଗ ଶୁଣିଲେ ନରସିଂହ

csstore
  • ଆବାସ ଗୃହ, ରାସନକାର୍ଡ ଓ ଭତ୍ତାକୁ ନେଇ ଲୋକେ ହନ୍ତସନ୍ତ
  • ଲୋକଙ୍କ ମଙ୍ଗଳ ନ କରି ଲୋକଙ୍କୁ ହଇରାଣ କରୁଛି ସରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ପଂଚୟତର ଉଡାର ଠାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଗାଁକୁ ଯାଇ ଉଡାର ତଥା ଆଖପାଖ ପଂଚାୟତର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଅଭିଯୋଗ ଶୁଣାଣିରୁ ଜଣାଯାଉଛି ଯେ, ବର୍ତ୍ତମାନର ସରକାର ଦୁଇ ବର୍ଷରୁ ଅଧିକ ହେବ କୌଣସି ଜନହିତକାରୀ ଯୋଜନାରେ ଲୋକଙ୍କ ମଙ୍ଗଳ କରିପାରି ନାହିଁ । ସଦ୍ୟ ଘୋଷଣା ହୋଇଥିବା ଆବାସ ଗୃହ ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇନଥିବା ବେଳେ ସଂଖ୍ୟାଧିକ ଧନୀକ ଶ୍ରେଣୀର ଲୋକ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଗୃହ ପାଇଛନ୍ତି । ଉଦାହରଣ ହିସାବରେ ଦୀନ ମଜୁରିଆ ଭାବେ କାମ କରୁଥିବା କୁଲୁତାପଡା ପଂଚାୟତର ବୈଶାଖୁ ବଗର୍ତ୍ତି ଏକ ଭୂମିହୀନ ଦିନ ମଜୁରିଆ ହୋଇଥିବା ସ୍ଥଳେ ତାଙ୍କ ନାଁ ଆବାସ ଗୃହ ତାଲିକାରେ ଆସି ନାହିଁ । ଏପରିକି ଅଭିଯୋଗ ବାକ୍ସରେ ଶହ ଶହ ସଂଖ୍ୟାରେ ଆବାସ ଗୃହକୁ ନେଇ ଅଭିଯୋଗ ପଡିଥିଲେ ହେଁ ଗରିବ ଲୋକେ ବ୍ଲକ ପ୍ରଶାସନ ତଥା ବର୍ତ୍ତମାନର ସକରାରକୁ ବିଶ୍ୱାସକୁ ନେଇ ପାରୁନାହାନ୍ତି । ଠିକ୍‌ ସେମିତି ୫ ମାସ ହେବ ବିଭିନ୍ନ ଯୋଜନାରେ ପାଉଥିବା ଭତ୍ତାଧାରୀମାନେ ତାଙ୍କ ଖାତାକୁ ଭତ୍ତା ଟଙ୍କା ଆସୁନଥିବା ଅଭିଯୋଗ କରୁଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ବିକଳାଙ୍ଗମାନେ ୬୦ ପ୍ରତିଶତରୁ ଅଧିକ ବିକଳାଙ୍ଗ ଥିଲେ ସୁଦ୍ଧା ଏମାନଙ୍କୁ ଏହି ଯୋଜନାରେ ବର୍ଷ ବର୍ଷ ହେଲା ସାମିଲ ହୋଇପାରୁନାହାନ୍ତି । ଅଂଚଳରେ ଅନେକ ରକ୍ତ ଶିକୁଳି ରୋଗୀ ମଧ୍ୟ ଆବେଦନ ସତ୍ୱେ ଏହି ଯୋଜନାରେ ଲାଭ ପାଉନାହାନ୍ତି ବୋଲି ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରୁଛନ୍ତି । ଅଢେଇବର୍ଷ ହେଲା କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ କରାଯାଇନାହିଁ । ପରିବାରରେ ପ୍ରାପ୍ତ ବୟସ୍କ ପୁଅ, ଝିଅକୁ କିଛିକାଂଶରେ ଅଲଗା ରାସନକାର୍ଡ ଦିଆଯାଉଥିବାରୁ ପରବର୍ତ୍ତୀ ସମୟରେ ସେମାନେ ସେହି ପରିବାରର ପୁଅ ଝିଅ ବୋଲି ପ୍ରମାଣ କରିବାକୁ ପଡୁଛି । ଲୋକେ ରାସନକାର୍ଡ ସୁବିଧାରେ ଯୋଡି ହେବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାର ଅନ୍‌ଲାଇନ ପୋର୍ଟାଲ ଖୋଲୁନଥିବା ଅଭିଯୋଗ ଆସୁଛି । ଏ ସବୁ ଅଭିଯୋଗ ଶୁଣିଲା ପରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଆର୍ଥିକ ଓ ଶାରୀରିକ ସ୍ତରରେ ନିମ୍ନରେ ଥିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି କିନ୍ତୁ ଏହି ମଙ୍ଗଳକାରୀ ଯୋଜନା ଗୁଡିକରୁ ଲୋକେ ଫାଇଦା ନ ପାଇ ହନ୍ତସନ୍ତ ହେବା ଅତି ଦୁଃଖ ଜନକ । ଲୋକଙ୍କ ମଙ୍ଗଳ ପାଇଁ ଆସିଥିବା ସରକାର ଓ ତାର ଅଧିକାରୀମାନେ ସମ୍ବେଦନଶୀଳ ହୁଅନ୍ତୁ ଏବଂ ଆବାସ ଗୃହ ସାମାଜିକ ସୁରକ୍ଷା ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ଲୋକଙ୍କୁ ଯୋଡିବା ପାଇଁ ସ୍ୱଚ୍ଛ ଓ ନିରପେକ୍ଷତା ସହ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରନ୍ତୁ ନଚେତ ଆଗାମୀ ଦିନରେ ଏହି ଲୋକମାନେ ଆନ୍ଦୋଳନ ମୁହାଁ ହେବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଏହି ଆଲୋଚନା ବେଳେ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୈାଧୁରୀ, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ମନବୋଧ ହରପାଲ, ବିଶ୍ୱଜିତ ପାତ୍ର, ଶୁଶାନ୍ତ ସାହୁ, କାନ୍ତେଶ୍ୱର ପ୍ରଧାନ, ଟିଙ୍କୁ ଅଗ୍ରୱାଲ, ପିଣ୍ଟୁ ପୋଡ, ଲିଟନ ହୋତା, ନେହେରୁ ଦୀପ, ଅନ୍ତ ପ୍ରଧାନ, ଅସୀତ ମିଶ୍ରଙ୍କ ସମେତ ବିଭିନ୍ନ ଗାଁରୁ ଆସିଥିବା ଲୋକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.