
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରି ନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାଚିତ ପ୍ରତିନିଧି, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ଉପଦେଷ୍ଠା ମଣ୍ଡଳୀ ଯୋଗଦେଇ ସଂଘ ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସବ୍ ଡିଭିଜନ ଓ ବ୍ଲକ ସ୍ତରରେ ଆଲୋଚନା ଚକ୍ର ଓ ତାଲିମ ଶିବିର ଆୟୋଜନ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । କାର୍ଯ୍ୟକାରୀ କମିଟି ବୈଠକରେ ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ସେହିପରି ସହ ବାଇ ଲ’ କମିଟି ଗଠନ ପାଇଁ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ଦୀପକ ପୁରୋହିତଙ୍କୁ ଦାୟିତ୍ୱ ଦିଆଯାଇଛି । ସଂଘର ନୂଆ ପଞ୍ଜୀକରଣ ଓ ଅଡିଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସଂଘର ସଭାପତି ଓ ସାଧାରଣ ସମ୍ପାଦକଙ୍କୁ କାର୍ଯ୍ୟକାରୀ କମିଟି ସୁପାରିସ କରିଛି । ସାମ୍ୱାଦିକ ସଂଘର ଉନ୍ନତିକରଣ ପାଇଁ ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଂଘର ରୋଷେଇ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି । ସଂଘର ସମ୍ମିଳନୀ କକ୍ଷ ପାଇଁ ସାଧାରଣ ସମ୍ପାଦକ ଦୀପକ ପୁରୋହିତ ଓ ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର ଯୋଗାଯୋଗ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ସଂଘର ପୂର୍ବତନ ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ପୁଣି ସଂଘକୁ ଫେରାଇ ଆଣିବାକୁ ସାଧାରଣ ସମ୍ପାଦକଙ୍କ ପ୍ରସ୍ତାବ କ୍ରମେ କମିଟି ନିଷ୍ପତି ଗ୍ରହଣ କରିଥିଲା । କାର୍ଯ୍ୟକାରୀ କମିଟି ସଦସ୍ୟ ଲଗାତାର ୩ ବୈଠକରେ ଅନୁପସ୍ଥିତ ରହିଲେ ତାଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟରୁ ବାଦ୍ ଦିଆଯାଇ ନୂତନ ସଦସ୍ୟଙ୍କୁ କମିଟିରେ ସାମିଲ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିଷ୍ପତି ଗ୍ରହଣ କରିବାକୁ କମିଟି ପକ୍ଷରୁ ଦାୟିତ୍ଵ ଦିଆଯାଇଛି । ସାମ୍ୱାଦିକ ଭବନ ଠାରେ ଡିଜିଟାଲ ଲାଇବ୍ରେରୀ ସହ ସେଣ୍ଟ୍ରାଲ ୱାଇଫାଇ ସୁବିଧା କରାଯିବା ସହ ସାମ୍ୱାଦିକଙ୍କ ସୁରକ୍ଷାଙ୍କୁ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ସେହିପରି ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ସଂଘର ଅତିଥି ଭବନ ପରିଚାଳନା ପାଇଁ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ ଓ ଶିଶିରକାନ୍ତ ଶତପଥୀଙ୍କୁ ପ୍ରଦାନ କରାଯାଇଛି । ସଂଘର ଆଗାମୀ କାର୍ଯ୍ୟକାରୀ କମିଟି ବୈଠକ ରାଣୀପୁର ଝରିଆଲ ଠାରେ ଆୟୋଜିତ କରିବାକୁ କମିଟି ସଦସ୍ୟ ଅନୀଲ ତ୍ରିପାଠୀ ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ଶରତ ମହାକୁର ଆୟବ୍ୟୟର ରିପୋର୍ଟ ଉପସ୍ଥାପନ କରିଥିଲେ । ସଂଘର ସମ୍ପାଦକ ରଞ୍ଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ କମିଟି ବୈଠକରେ ସଂଘର ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ସୁବାଷ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ବିମଳ ଚନ୍ଦ୍ର ହୋତା, ଆନନ୍ଦ ସାହୁ, ଚନ୍ଦ୍ରଭାନୁ ମୋଲାନା, ଘଟେଶ୍ୱର୍ ମିଶ୍ର, ଅନୀଲ ତ୍ରିପାଠୀଙ୍କ ସହ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ ।