
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ବିପୁଳ ପରିମାଣର ନିଶାଦ୍ରବ୍ୟ କଫ୍ ସିରପ୍ ଜବତ କରିଛି ପୋଲିସ । ଛତିଶଗଡ଼ ରାଇପୁରରୁ ପଦ୍ମପୁର ଆସୁଥିବା ଗୋଟିଏ ଟ୍ରକରେ ଡାଲି ବସ୍ତା ଭିତରେ ଲୁଚାଇ ଆଣାଯାଉଥିଲା ନିଶା କଫ୍ ସିରପ୍ । ବିଶ୍ୱସ୍ତସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ଟ୍ରକକୁ ଖୁଣ୍ଟପାଲି ଛକ ଠାରେ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୩୦ଟି ପ୍ୟାକେଟରୁ ୪୫୦୦ ଗୋଟି କଫ୍ ସିରପ୍ ଜବତ କରାଯାଇଛି । ଏହି ଘଟଣାରେ ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଡ୍ରାଇଭରଙ୍କ ନାମ କ୍ଷମାସାଗର ପାଣ୍ଡେ । ପଚରାଉଚରା ବେଳେ ସେ ଏହି ନିଶା ଚାଲାଣ କରୁଥିବା ସ୍ୱୀକାର କରିଛି । ଏହା ପଛରେ ଆଉ କିଏ ଅଛନ୍ତି, ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।