jayashree

ଏମ୍‌ପିସି କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ : ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ତୀବ୍ର ଅସନ୍ତୋଷ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

ବାରିପଦା, (କେପିଏନ୍‌ଏସ୍‌) : ବାରିପଦାର ପ୍ରତିଷ୍ଠିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟକୁ ବଡ଼ବଜାରସ୍ଥିତ ପୁରୁଣା କ୍ୟାମ୍ପସରୁ ତକତପୁରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ସୋମବାର ଛାତ୍ରଛାତ୍ରୀମାନେ ବଡ଼ବଜାର ସ୍ଥିତ କଲେଜ ସମ୍ମୁଖ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଫଳରେ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନର କଲେଜ କୋଠା ବିପଦସଙ୍କୁଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ନିଷ୍ପତ୍ତିକୁ ସେମାନେ ବିରୋଧ କରୁନାହାନ୍ତି । କିନ୍ତୁ ତକତପୁରସ୍ଥିତ ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ଆଇଟିଆଇ କ୍ୟାମ୍ପସକୁ ସ୍ଥାନାନ୍ତର କରାଗଲେ ଶିକ୍ଷାଦାନ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ତକତପୁର କ୍ୟାମ୍ପସରେ ପୂର୍ବରୁ ଅନ୍ୟ ଶିକ୍ଷାନୁଷ୍ଠାନର ପାଠପଢ଼ା ଚାଲୁଥିବାରୁ ଯଥେଷ୍ଟ ଶ୍ରେଣୀଗୃହ ମିଳିବା କଷ୍ଟକର ହୋଇପାରେ । ଫଳରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏଥିସହ ବଡ଼ବଜାର ଠାରୁ ତକତପୁରର ଦୂରତା ଅଧିକ ହୋଇଥିବାରୁ ଦୈନିକ ଯାତାୟାତରେ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହେବ । ବିଶେଷକରି ଗରିବ ଓ ଦୂରଦୂରାନ୍ତରୁ ଆସି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେବେ ବୋଲି ସେମାନେ କହିଛନ୍ତି । ବଡ଼ବଜାର ଅଞ୍ଚଳର ବିଭିନ୍ନ ମେସ ଓ ଲଜିଂରେ ରହୁଥିବା ଛାତ୍ରଛାତ୍ରୀଙ୍କ ରହଣି ସମସ୍ୟା ମଧ୍ୟ ଆନ୍ଦୋଳନର ଅନ୍ୟତମ କାରଣ । ଅନେକ ଛାତ୍ରଛାତ୍ରୀ ଆଗୁଆ ଏକ ବର୍ଷର ଭଡ଼ା ଦେଇସାରିଥିବାରୁ ହଠାତ ସ୍ଥାନାନ୍ତର ହେଲେ ସେମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ । ଏହାବ୍ୟତୀତ ସାଇକେଲରେ କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି । ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ଟାଉନ ଥାନା ଅଧିକାରୀ କରୁଣାକର ରାଉତଙ୍କ ସମେତ କଲେଜ କର୍ତ୍ତୃପକ୍ଷ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଛାତ୍ରୀ ସୁଭଦ୍ରା ମୁଖୀ ଓ ରୁମା ରାୟ, ଛାତ୍ର ସୌମ୍ୟରଞ୍ଜନ ବ୍ରହ୍ମା ଓ ବିବେକ କୁମାର ରାଉତ, ଅଭିଭାବକ ସୁକୁମାରୀ ମୁଖୀ ଏବଂ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ ।

Leave A Reply

Your email address will not be published.