
ରାଉରକେଲା, (ସସ୍ମିତା ପ୍ରଧାନ) : ସୋମବାର ଅପରାହ୍ନରେ କାଳବୈଶାଖୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଥିଲା । ଘୂର୍ଣ୍ଣିଝଡ଼ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ସେକ୍ଟର-୨ ଖରିଆବାହାଲ ବସ୍ତି, ଗଞ୍ଜୁ ବସ୍ତି, କଲ୍ୟାଣ ବସ୍ତି, ବଲାଙ୍ଗିର ବସ୍ତି ଏବଂ ଜି-ବ୍ଲକ ବସ୍ତି ଅନ୍ତର୍ଭୁକ୍ତ ଥିଲା ବେଳେ ଏଥିରେ ମୋଟ ୧୩୮ଟି ଘର ସମ୍ପୂର୍ଣ୍ଣ ଓ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ୯୮ଟି ପରିବାର ପ୍ରଭାବିତ ହୋଇଥିବା ବେଳେ ରାଉରକେଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଲିଥିନ ପାଲ ଯୋଗାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଅପରପକ୍ଷରେ ପ୍ରଭାବିତ ବିଭିନ୍ନ ସେକ୍ଟର ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି । ବସ୍ତି ବାସିନ୍ଦାମାନେ ଖାଦ୍ୟ ଓ ପାଣି ଆବଶ୍ୟକ କରୁଥିବା ବେଳେ ରାଉରକେଲା ପ୍ରଶାସନ ତଥା ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଖାଦ୍ୟ, ପାଣି ଏବଂ ବିଦ୍ୟୁତ ଯୋଗାଣ ଦାବି କରି ଆଜି ରାସ୍ତା ଅବରୋଧ କରିଛନ୍ତି ସେକ୍ଟର-୨ ଖରିଆବାହାଲ ବସ୍ତି ବାସିନ୍ଦା । ସେମାନେ ରାସ୍ତା ଅବରୋଧ କରି ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ୪ ଦିନ ହୋଇଗଲାଣି । ବିଦ୍ୟୁତ୍ ଲାଇନ୍ ନାହିଁ, ପାଣି ନାହିଁ, ଖାଦ୍ୟ ନାହିଁ । ସୋମବାର କାଳବୈଶାଖୀ ଝଡ଼ରେ ସବୁ ଧ୍ୱଂସ ହୋଇଯାଇଛି । ଲୋକଙ୍କ ଧର୍ଯ୍ୟଚ୍ୟୁତି ଘଟିଛି । ପ୍ରତିବାଦରେ ୧ ନମ୍ବର୍ ସେକ୍ଟରର ଏନ୍ଆଇଟି ରୋଡ ଅବରୋଧ କରିଛନ୍ତି ବସ୍ତି ବାସିନ୍ଦା । ରାସ୍ତା ଅବରୋଧ ଯୋଗୁଁ ବସ୍ ସେବା ବ୍ୟାହତ ହୋଇଛି । ରାଉରକେଲା ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ରିଲିଫ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା ।