ମଧ୍ୟପ୍ରଦେଶରେ ଏବେ ନାଇଟ୍‌ କର୍ଫ୍ୟୁ ଜାରି ଅଛି, ଅନ୍ୟ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ, କରୋନା ସମୀକ୍ଷା ବୈଠକରେ ସିଏମ୍ ଶିବରାଜଙ୍କ ନିଷ୍ପତ୍ତି

ଭୋପାଳ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ଏବଂ ଓମିକ୍ରନର ବିପଦ କାରଣରୁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବବୈଠକ କରିଛନ୍ତି । ବୈଠକରେ ସିଏମ୍ ଶିବରାଜ ରାତିର କର୍ଫ୍ୟୁ ବ୍ୟତୀତ ଅନ୍ୟ କୌଣସି ପ୍ରତିବନ୍ଧକ ନ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଅନ୍ୟ କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଯିବ ନାହିଁ । ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ରାଜ୍ୟରେ ରାତିର କର୍ଫ୍ୟୁ ଜାରି ରହିବ ।

ସମସ୍ତ ଅର୍ଥନୈତିକ କାର୍ୟ୍ୟକଳାପ ଜାରି ରହିବ ଏବଂ ଅନ୍ୟ ସମସ୍ତ କାର୍ୟ୍ୟକ୍ରମ ମଧ୍ୟ ପୂର୍ବପରି ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆହୁରି ମଧ୍ୟ ଅନାବଶ୍ୟକ ଭିଡ଼କୁ ଏଡ଼ାଇବା ପାଇଁ ଉଦ୍ୟମ କରାଯିବ । ଏଥି ସହିତ କରୋନା ଗାଇଡ୍ ଲାଇନ୍ ଅନୁସରଣ କରିବା, ମାସ୍କ ପ୍ରୟୋଗ କରିବା ଏବଂ ସାମାଜିକ ଦୂରତା ଅନୁସରଣ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ସମୀକ୍ଷା ବୈଠକରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କର ଟୀକାକରଣ କାର୍ୟ୍ୟକ୍ରମ ସହିତ ବୃଦ୍ଧଙ୍କ ଟୀକାକରଣକୁ ତ୍ୱରାନ୍ୱିତ କରିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ୧୫ ରୁ ୧୮ ବର୍ଷର ପିଲାମାନଙ୍କ ଟୀକାକରଣ ପାଇଁ ଏକ ଅଭିଯାନ ଆରମ୍ଭ କରାଯିବ ବୋଲି ସିଏମ୍ ବୈଠକରେ କହିଛନ୍ତି । ୧୫-୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Leave A Reply

Your email address will not be published.