
- ଆଜି ସନ୍ଧ୍ୟାରେ ଅପରବସଷ୍ଟାଣ୍ଡ ଅଭିମୁଖେ ଦେବୀଙ୍କ ଘଟଯାତ୍ରା ବାହାରିବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଆରାଧ୍ୟଦେବୀ ମା’ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହି ଯାତ୍ରା ଜୁନ ୭ ତାରିଖ ପର୍ଯ୍ୟନ୍ତ ସମାହିତ ହେବ ବୋଲି ଯାତ୍ରା କମିଟିର ମୁଖ୍ୟ ପରିଚାଳକ କେ.ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି । ରବିବାର ସନ୍ଧ୍ୟାରୁ ଦେବୀଙ୍କ ଘଟଯାତ୍ରା ଆରମ୍ଭ ହୋଇଛି । ରବିବାର ସନ୍ଧ୍ୟା ୭ଘଣ୍ଟାରେ ଦେବୀ ଦଶଭୂଜା ମହାମାୟୀ ମା’ରାମାୟାଣାମ୍ମା ଠାକୁରାଣୀଙ୍କ ୧୦ଜଣ ସହଚରୀ ଯଥା- ମହାକାଳୀ, ତାରାଦେବୀ, ଷୋଡଶୀ, ଭୁବନେଶ୍ୱରୀ, ଚ୍ଛିନ୍ନମସ୍ତା, ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ଅମ୍ବିକା ରୂପରେ ପୂଜାର୍ଚ୍ଚନା ହୋଇଛି । ଦଶମହାବିଦ୍ୟା ରୂପରେ ୯ଟି ଚିତାକର୍ଷକ ମାଟିକଳସକୁ ଦେବୀ ରୂପରେ ଅଖ୍ୟା ଦିଆଯାଇ ଦେବୀଙ୍କୁ ଅସ୍ଥାୟୀ ଆଡ଼ପ ମଣ୍ଡପ ଘରେ ପୂଜା ପାଇଛନ୍ତି ଏବଂ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି । ରବିବାର ସନ୍ଧ୍ୟାରେ ମଙ୍ଗଳ ଆରତୀ, ନୈବେଦ୍ୟ ସମର୍ପଣ କରାଯାଇଛି । ବୈଧାନିକନୀତିରେ ପ୍ରଥମେ ତାଙ୍କ ସଙ୍ଗିନୀ ରଣପା କାଳୀଙ୍କ ନୃତ୍ୟ ହେବା ପରେ ନାନା ବାଦ୍ୟଧ୍ୱନିରେ ବିରାଟ ପଟୁଆରରେ ମାଆ ସଆନ୍ତାଣି ନଗର ବୁଲି ବାହାରିଛନ୍ତି । ଘଟଯାତ୍ରାର ପ୍ରଥମ ଦିବସରେ ରିକାପଲ୍ଲୀ ଅଭିମୁଖେ ମାଆଯାତ୍ରା କରିଛନ୍ତି । ସ୍ବର୍ଗୀୟ ପ୍ରତିଷ୍ଠିତ ବ୍ୟକ୍ତି ୱାଇ. କାମରାଜୁଙ୍କ ବାସଭବନକୁ ଆସି ପିଠା, ପଣା, ବିଭିନ୍ନ ବ୍ୟଞ୍ଜନର ସ୍ୱାଦିଷ୍ଟ ଭୋଗରାଗ ତଥା ନୈବେଦ୍ୟ ରାଜଭୋଗ ସାରି ପୁଣି ବାପଘରକୁ ପ୍ରତ୍ୟାଗମନ କରିଛନ୍ତି । ସୋମବାର ସନ୍ଧ୍ୟାରେ ଅପରବସଷ୍ଟାଣ୍ଡ ଅଭିମୁଖେ ଦେବୀଙ୍କ ଘଟଯାତ୍ରା ବାହାରିବ । ସ୍ବର୍ଗୀୟ ପ୍ରତିଷ୍ଠିତ ବ୍ୟକ୍ତି ଶ୍ରୀମାନ ପାଣିଗ୍ରାହୀଙ୍କ ଭୋଗ-ଲାଗି ହେବ ।