ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସିମିଳିଆ ଓଭର ବ୍ରିଜ୍ ନିକଟରୁ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ଵାମୀ ଦୀପକ ଦାଶଙ୍କୁ ମୁର୍ମୁଷୁ ଅବସ୍ଥାର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାରତୀ ରଥଙ୍କ ସ୍ଵାମୀ ଦୀପକ ଦାଶଙ୍କୁ ଗତ ୧୬ ତାରିଖରୁ ତାଙ୍କ ଗ୍ରାମ ନିକଟରୁ ଅପହରଣ କରାଯାଇଥିଲା । ଅଭିଯୋଗ ଅନୁସାରେ ଗତ ବୁଧବାର ସନ୍ଧ୍ୟାରେ ଦୀପକ ସ୍କୁଟି ନେଇ ବାହାରକୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଫଳରେ ତାଙ୍କ ପରିବାର ଲୋକେ ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ ଦୀପକଙ୍କର କୌଣସି ଖୋଜ ଖବର ମିଳି ନଥିଲା । ତେବେ ଗାଁ ନିକଟରୁ ଦୀପକଙ୍କ ସ୍କୁଟି ଉଦ୍ଧାର ହୋଇଥିବା ବେଳେ ସ୍କୁଟିରେ ସାମାନ୍ୟ ରକ୍ତ ଛିଟା ଲାଗିଥିବାରୁ ତାଙ୍କୁ କେହି ଅପହରଣ କରି ନେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.