jayashree

ଦେଓଗାଁ ବ୍ଲକ ଜୋନ ନଂ. ୧୨ରେ ନରସିଂହଙ୍କ ନିର୍ବାଚନ ପ୍ରଚାର

  • ଲୋକଙ୍କ କାମ କରୁ ନଥିବା ନେତାଙ୍କୁ ଏଥର ବରଖାସ୍ତ କରନ୍ତୁ ଜନତା – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳର ଉନ୍ନତି ଉପରେ ସାରା ରାଜ୍ୟ ତଥା ଦେଶର ଉନ୍ନତି ନିର୍ଭର କରେ । ଏହି ତ୍ରିସ୍ତରୀୟ ନିର୍ବାଚନରେ ଲୋକେ ଗ୍ରାମଞ୍ଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରତିନିଧି ନିର୍ବାଚିତ କରନ୍ତି । ଦୀର୍ଘ ପାଞ୍ଚ ବର୍ଷର ଅପେକ୍ଷା ପରେ ପୁଣି ଗୁରୁତ୍ୱପୁର୍ଣ୍ଣ ନିର୍ବାଚନ ସମୟ ଆସିଛି । ଯାହା ଆଗାମୀ ପାଞ୍ଚ ବର୍ଷ ପାଇଁ ଗ୍ରାମାଞ୍ଚଳର ଭବିଷ୍ୟତ ନିର୍ଦ୍ଧାରିତ କରିବ । ଗତ ଥର ପଞ୍ଚାୟତ ନିର୍ବାଚନରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ରାଜନୈତିକ ଦଳ ଲୋକଙ୍କ ଭୋଟ ହାତେଇ ଅଂଚଳ ପାଇଁ କାମ କରି ନାହାନ୍ତି, ସେମାନଙ୍କୁ ଚିହ୍ନନ୍ତୁ ଜନତା । ଲୋକଙ୍କ ପାଇଁ କାମ କରୁନଥିବା ନେତା ତଥା ଦଳକୁ ଜନତା ଏଥର ବରଖାସ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଜୋନ ନଂ. ୧୨ ଅନ୍ତର୍ଗତ ହାତିଶରା, ନାଇକେନଶିରା, ସାରସବାହାଲ, କୁତୁର୍ଲା, ମୁର୍ସିଙ୍ଗ, ସିକୁଆଁ, ସିଲେଟକାନି ଓ କରୁଆଁଝର ଗ୍ରାମବାସୀଙ୍କୁ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି । ଦେଓଗାଁ ବ୍ଲକ ଜୋନ ନଂ.୧୨ର କଂଗ୍ରେସ ପ୍ରାର୍ଥିନୀ କବିତା ଭୋଇଙ୍କ ପାଇଁ ଘର ଘର ବୁଲି ଭୋଟ ପ୍ରଚାର କରିବା ସମୟରେ ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ତଥା ନେତା ସଂପୃକ୍ତ ଅଂଚଳର ଜନ ସମସ୍ୟା ଚିହ୍ନଟ କରି ତାହାକୁ ନିଜର ନିର୍ବାଚନ ପ୍ରଚାର ବା ପ୍ରତିଶୃତି ପତ୍ର ସ୍ଥାନିତ କରାନ୍ତି । ଜନତାର ବିଶ୍ୱାସ ଜିତି ନିର୍ବାଚିତ ହେଲା ପରେ ସେମାନେ ଅତି କମରେ ସେହି ପ୍ରତିଶୃତି ପୂରଣ କରିବା ଅନିବାର୍ଯ୍ୟ । କିନ୍ତୁ ଗତ ଥର ନିର୍ବାଚିତ ହୋଇଥିବା କିଛି ଦଳ ତଥା ନେତା ତାହାକୁ ପୂରଣ କରିବା ତ ଦୂରର ବିଷୟ । ନିର୍ବାଚନ ଜିତିବା ପରେ ନିର୍ବାଚିତ କରିଥିବା ଗ୍ରାମବାସୀଙ୍କୁ ସେମାନଙ୍କ ଦେଖା ମଧ୍ୟ ମିଳି ନଥିବା ଅନେକ ନଜିର ରହିଛି । ଉଜ୍ୱଳ ଭବିଷ୍ୟତର ମିଛ ସ୍ୱପ୍ନ ଦେଖେଇ ଗାଦି ହାତେଇ ଥିବା ଦଳ ଓ ନେତା ନିର୍ବାଚନ ପରେ ଜନତାଙ୍କୁ ଭୋକ, ବେରୋଜଗାରି, ଅଭାବ, ଅସୁବିଧା ଓ ଅସୁକ୍ଷା ଭିତରକୁ ଠେଲି ଦେଇ ନିଜ ପିଠି ଥାପଡାଉଛନ୍ତି । ଗତ ପାଞ୍ଚ ବର୍ଷରେ ଚାଷ, ଶିକ୍ଷା, ରୋଜଗାର ଓ ସୁରକ୍ଷାର ଅବସ୍ଥା ଆହୁରି ଦୁର୍ବଳ ହୋଇଥିବା ବେଳେ ସମାଜରେ ଛାତ୍ର, ଯୁବକ, କୃଷକ ଓ ଶ୍ରମିକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଇଛି । ଦରଦାମ ବୃଦ୍ଧି ଓ ବେରୋଜଗାରି ପାଇଁ ଘର ଚଳାଇବା ମୁସ୍କିଲ ହୋଇ ପଡିଛି । ଅନ୍ୟ ପଟେ ରାଜନୈତିକ ଦଳ ଓ ନେତା ଆହୁରି ମାଲାମାଲ ହୋଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଜନତାଙ୍କ ଭୋଟ ନେଇ ଗତ ପାଞ୍ଚ ବର୍ଷ ଏମାନେ କାହା ପାଇଁ କାମ କରୁଥିଲେ । ଜନତାଙ୍କ ପାଇଁ ନା ନିଜ ସ୍ୱାର୍ଥ ଓ ଦଳ ପାଇଁ ? ଏଥର ଜନତା ସେମାନଙ୍କୁ ଠିକ ଚିହ୍ନି, ଏଭଳି ନେତାଙ୍କୁ ନିର୍ବାଚନରେ ବରଖାସ୍ତ କରନ୍ତୁ ।

Leave A Reply

Your email address will not be published.