- ଡ଼ମ୍ବକର୍ଲାଖୁଣ୍ଟା ନିକଟରେ ଲାଗିଲା ଲାଲ୍ ବ୍ୟାନର୍
ମ.ରାମପୁର, (ହେମନ୍ତ ସାହୁ) : ନିର୍ବାଚନ ବର୍ଜନ କରନ୍ତୁ, ଗୋଲାମୀରୁ ମୁକ୍ତି ପାଆନ୍ତୁ । ଗଣତାନ୍ତ୍ରିକ ପଦ୍ଧତିରେ ଲଢୁଥିବା ଓ କହୁଥିବା ବ୍ୟକ୍ତି ଉପରେ ରାଷ୍ଟ୍ର ହିଂସା ବନ୍ଦ କରାଯାଉ ଭଳି ଅନେକ ଦାବୀକୁ ନେଇ ଆଜି ଲାଲ ବାହିନୀ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମ.ରାମପୁର – ମୋହନଗିରୀ ରାସ୍ତା ଡ଼ମ୍ବକର୍ଲାଖୁଣ୍ଟର ଟିକିଏ ଆଗକୁ ଦୁଲେନ୍ ବୁଲାଣି ପାଖରେ ଆଜି ଲାଲ ବାହିନୀର ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟର ସହିତ ନିଜର ଉପସ୍ଥିତି ଜାହିର କରିଛି ଲାଲ ବାହିନୀ । ଦୀର୍ଘ ମାସର ବ୍ୟବଧାନ ପରେ ମାଓ ନିଜର ଉପସ୍ଥିତି ଜାହିର କରିଛି । ଏବେ ତିସ୍ତରୀୟ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ମାଓବାଦୀଙ୍କ ଭୋଟ ବର୍ଜନ ପୋଷ୍ଟର ଆଲୋଚନାର ବିଷୟ ପାଲଟିଛି । ମାଓବାଦୀମାନେ ରାସ୍ତା ଉପରେ ବ୍ୟାନର, ରାସ୍ତା କଡ଼ରେ ବ୍ୟାନର, ଗଛରେ ହାତଲେଖା ପୋଷ୍ଟର ସହିତ ଛପା ପୋଷ୍ଟର ବି ଲଗାଇଛନ୍ତି । ଭାକପା(ମାଓବାଦୀ) ତରଫରୁ ହାତଲେଖା ପୋଷ୍ଟରରେ, ଆଦିବାସୀ ଅଞ୍ଚଳରେ ସିଆରପିଏଫ୍ କ୍ୟାମ୍ପ ତୁରନ୍ତ ବନ୍ଦ କରାଯାଉ, ଫରେଷ୍ଟର ବଳପୂର୍ବକ ଭାବେ ଦଖଲ କରିଥିବା ଜଙ୍ଗଲ ଜମିକୁ ଆଦିବାସୀ ଓ ଦଳିତଙ୍କୁ ଫେରାଇ ଦିଆଯାଉ ଏବଂ ଆଦିବାସୀ ଦଳିତ ପରିବାରକୁୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ । ମାଓବାଦୀ ଆଳରେ ଲୋକଙ୍କୁ ଡ଼କାୟତି କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୁଲିସ ଆରେଷ୍ଟ କରୁ, ଗଂଜେଇ ଆଳରେ ପୁଲିସର ହିିଂସାଲୀଳା ବନ୍ଦ କରାଯାଉ ଏବଂ ଏଥିରେ ଆରେଷ୍ଟ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦେଇ ତୁରନ୍ତ ରିହା କରୁ । ଲୋକଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବଶ୍ୟକୀୟ ରାସନ ସାମାନ ଯୋଗାଇ ଦିଆଯାଉ, ସରକାରୀ ନିଯୁକ୍ତି ବୟସସୀମା କ୍ୟାବିନେଟର ନିଷ୍ପତିକୁ ରଦ୍ଦ କରାଯାଉ ବୋଲି ଉଲ୍ଲେଖ ରହିଛି । ଏହି ପୋଷ୍ଟର ଓ ବ୍ୟାନର ପରେ ଲୋକଙ୍କ ମଧ୍ୟରେ ଛନକା ପଶିଥିବା ଜଣାଯାଇଛି ।