
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଖୁଣ୍ଟପାଲି ଗ୍ରାମର ମୂଳାଧିବାସୀ ଖୁଆସ ବଂଶଜଙ୍କ ଏକ ଶେଷ ମିଳନ ବୈଠକ ଶିବ ଶଙ୍କର ଖୁଆସଙ୍କ ସଭାପତିତ୍ୱରେ ଗାଁ ସ୍ଥିତ ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶେଷ ଭାବରେ ଯେଉଁ ବଂଶଜମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପୁନର୍ବାସ ଯୋଜନାରେ ଘର ତିଆରି ପାଇଁ ଉଦ୍ଦିଷ୍ଟ ଘରଡିହ ପାଇପାରି ନାହାନ୍ତି, ତାକୁ ନେଇ ବିଶେଷ ଦୁଃଖ ପ୍ରକାଶ କରି ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ମତପୋଷଣ କରିଥିଲେ । ସେହିଭଳି ଗାଁ ଭିଟାମାଟି, ବଣଜଙ୍ଗଲ, ନଇନାଳ, ପରିବେଶ ଛାଡି ସବୁ ଦିନ ପାଇଁ ଅନ୍ୟତ୍ର ରହିବାକୁ ପଡୁଥିବାରୁ ସମସ୍ତେ କିଛି ସମୟ ପାଇଁ ଭାବ ବିହ୍ୱଳ ହୋଇପଡିଥିଲେ । ଏହି ବୈଠକରେ ହରିଶ୍ଚନ୍ଦ୍ର ଖୁଆସ, ରାଧାକାନ୍ତ ଖୁଆସ, ରମାକାନ୍ତ ଖୁଆସ, ଦୀନବନ୍ଧୁ ଖୁଆସ, ପଂଚାନନ ଖୁଆସ, ମହେନ୍ଦ୍ର ଖୁଆସ, ଉମାକାନ୍ତ ଖୁଆସ ମତବ୍ୟକ୍ତ କରିଥିଲେ । ଖୁଆସ ବଂଶର ପୁରୁଷ, ମହିଳା, ପୁଅ ଝିଅ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଶେଷରେ ଅରୁଣ ଖୁଆସ ଧନ୍ୟବାଦ ଦେଇଥିଲେ ।