ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ଫରେଷ୍ଟ ରେଞ୍ଜରେ ହାତୀ ଉପଦ୍ରବ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି । ଆଉ ହାତୀଙ୍କ ଗତିବିଧି ନିରିକ୍ଷଣ ତଥା ସେମାନଙ୍କ ଉପଦ୍ରବରୁ ଫସଲ ତଥା ଧନଜୀବନ ହାନୀକୁ ରୋକିବା ପାଇଁ ପ୍ରତି ରେଞ୍ଜରେ ଗଠନ କରାଯାଇଛି ଏଲିଫେଣ୍ଟ ସ୍କ୍ୱାର୍ଡ । ତେବେ ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନ ସାଲେଭଟା ସେକ୍ସନରେ ଦାୟିତ୍ୱରେ ଥିବା ଏଲିଫେଣ୍ଟ ସ୍କ୍ୱାର୍ଡର ସଦସ୍ୟଙ୍କୁ ହାତୀର ଗତିବିଧି ନିରୀକ୍ଷଣ ପାଇଁ ଅତି ବିପଦଜନକ ଭାବେ ବାଇକରେ ଜଂଗଲ ଭିତରକୁ ପଠାଯାଉଥିବା ସୂଚନା ମିଳିଛି । ଏପରିକି ସାଂଗରେ ବିଭାଗୀୟ ଫରେଷ୍ଟର ଅଥବା ଗାର୍ଡ ଯିବାର ନିୟମ ରହିଥିବା ବେଳେ ଅନଭିଜ୍ଞ ସ୍କ୍ୱାର୍ଡ ଦଳକୁ ଏକା ଏକା ଜଂଗଲ ଭିତରକୁ ଯିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି । ଫଳରେ ସେମାନଙ୍କ ଜୀବନ ସଦା ସର୍ବଦା ବିପଦ ମୁହଁରେ ଥିବା ନେଇ ନିଜ ନାମ ଗୋପନ ରଖିବା ସର୍ତରେ କିଛି ସ୍କ୍ୱାର୍ଡ ସଦସ୍ୟ ପ୍ରକାଶ କରିଛନ୍ତି । ଏ ବାବଦରେ ସାଲେଭଟା ଫରେଷ୍ଟର ଚିତ୍ତରଂଜନ ଖମାରୀଙ୍କୁ ପଚାରିବାରେ ଜଂଗଲ ଭିତରକୁ ଯିବା ପାଇଁ ସ୍କ୍ୱାର୍ଡ ଦଳ ନିମନ୍ତେ ଚାରିଚକିଆ ଯାନ ରହିଛି । କିଛି ସଦସ୍ୟ ନିଜ ଇଚ୍ଛାରେ ବାଇକରେ ଯାଉଥିବେ ବୋଲି ପ୍ରକାଶ କରିବା ସହିତ ସାଂଗରେ ଗାର୍ଡ ଯାଉଥିବା ସେ ନିଜ ପ୍ରତିକ୍ରିୟାରେ ସଫେଇ ଦେଇଥିଲେ । ବଲାଙ୍ଗିର ଡିଏଫଓ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।