ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ । ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ ଭିତରେ ୫୩ଟି ଗାଁ ଅଛି । ଏହି ଗାଁ ସବୁ ସମୁନ୍ଦ୍ର ପତନଠାରୁ ୩ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ । ଗାଁରେ ବିଭିନ୍ନ ଜାତିର ଲୋକ ବସବାସ କରୁଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ଚକୋଟିଆ ଭୁଞ୍ଜିଆ ଜାତିର ଲୋକ ଅଧିକ । ଏହି ଜନଜାତି ମହିଳାଙ୍କ ପାଇଁ ଲାଲବଙ୍ଗଳା ତାଙ୍କର ଏକ ନିଆରା ପରମ୍ପରା ରହିଛି । ସୂୁଚନା ଅନୁସାରେ ଏହି ଲାଲ ବଙ୍ଗଳାରେ ମହିଳାଙ୍କ ଆଧିପତ୍ୟ ରହିଥାଏ । ଲାଲ୍ ବଙ୍ଗଳାରେ ଦୁଇ ଗୋଟି କୋଠରୀ ରହିଅଛି । ଏହାକୁ ତିଆରି କରିବା ପାଇଁ ମାଟି, କାଠ ଓ ଖର ଦ୍ୱାରା ନିର୍ମାଣ କରି ମାଟି କାନ୍ଥରେ ଲାଲ୍ ରଙ୍ଗ ଦିଆଯାଇଥାଏ । ଏନେଇ ଭୁଞ୍ଜିଆଙ୍କ ରୋଷେଇ ଘରକୁ ଲାଲ୍ ବଙ୍ଗଳା ବୋଲି କୁହାଯାଏ । ସେଠାରେ ତାଙ୍କର ଇଷ୍ଟ ଦେବଦେବୀ, ପିତୃ ପୁରୁଷ ପୂଜା ପାଇଥାନ୍ତି । ଏହି ବଙ୍ଗଳାକୁ ବାହାର ଲୋକ ଛୁଇଁବା ମନା । ଏ ପରିକି ବିବାହ କରି ଶାଶୁ ଘର ଯାଇଥିବା ଝିଅ ମଧ୍ୟ ଛୁଇଁବାକୁ ବାରଣ ରହିଛି । ଝିଅ ବାପଘରକୁ କୁଣିଆ ଆସିଲେ ତାକୁ ଘର ବାହାରେ ରୋଷେଇ କରି ଖାଇବାକୁ ପଡେ । ଯେତେଦିନ ସେ ବାପଘରେ ରହିବ ଅଲଗା ରୋଷେଇ କରି ଖାଇବ । ଲାଲ୍ ବଙ୍ଗଳା ପାଖକୁ ଯାଇ ପାରିବ ନାହିଁ । ଭୁଲବଶତଃ କେହି ଲାଲ୍ ବଙ୍ଗଳାକୁ ଛୁଇଁ ଦେଲେ, ସେହି ଘର ଜାଳି ଦେବା ଭଳି କଠୋର ନିୟମ ରହିଛି । ଏବେ ମଧ୍ୟ ଭୁଞ୍ଜିଆଙ୍କ ଏହି ସଂସ୍କୃତି ଓ ପରମ୍ପରା ବଞ୍ଚି ରହିଛି ।