
ଆଗଲପୁର, (କେପିଏନ୍ଏସ୍) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଝରଣିପାଲି ପଞ୍ଚାୟତର ଝରଣୀପାଲି ଗାଁ ବାସିନ୍ଦା ବିରଞ୍ଚି ସାହୁ (୬୫) ଗତ ପାଞ୍ଚ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଥାଇ ଚିକିତ୍ସାଧୀନ ଅଛନ୍ତି । ତେବେ ପରିଣତ ବୟସରେ ଭତ୍ତା ପାଇବା ପାଇଁ ପଞ୍ଚାୟତ ତଥା ବ୍ଲକ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଆବେଦନ କରି ମଧ୍ୟ ନିରାଶ ହୋଇଥିବା ବିରଞ୍ଚି ଅଭିଯୋଗ କରିଛନ୍ତି । ଟାର୍ଗେଟ ନ ଥିବା କହି ସରପଞ୍ଚ ତାଙ୍କୁ ଫେରାଇ ଦେଇଥିବା ବେଳେ ଆଉ ଭତ୍ତା ହେଉ ନ ଥିବା କହିଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ । ଏଭଳି ସ୍ଥିତିରେ ବିରଞ୍ଚି କିଭଳି ତାଙ୍କ ନିଜ ପେଟ ପାଟଣା ସହିତ ଔଷଧ ଖର୍ଚ୍ଚ ବହନ କରିବେ, ସେ ନେଇ ଚିନ୍ତାରେ ପଡ଼ିବା ସହିତ ଭାଗ୍ୟକୁ ଆଦରି ରହିଛନ୍ତି । ବଲାଙ୍ଗିର ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।