ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ଗ୍ରାମ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଉଦାହରଣ ହେଉଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟ ଅନ୍ତର୍ଗତ ଭିର୍କାପଡା ଗାଁ । ଗାଁରେ ଆଜି ବି ଲୋକେ ପାନୀୟ ଜଳ, ରାସ୍ତା, ସ୍କୁଲ ଓ ଚିକିତ୍ସା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଘନ ଜଙ୍ଗଲ ଭିତରେ ଗାଁରେ ୫୦ରୁ ଅଧିକ ପରିବାର ରହୁଥିବା ବେଳେ ଶୁଦ୍ଧ ପାନୀୟ ଜଳ ମଧ୍ୟ ପାଇ ପାରୁନାହାନ୍ତି ଉକ୍ତ ଗାଁଲୋକେ । ସରକାରଙ୍କ ପକ୍ଷରୁ ନଳକୂପଟିଏ ମଧ୍ୟ ଖନନ କରାଯାଇନଥିବା ବେଳେ ଗାଁ ଲୋକେ ନିଜେ ଅର୍ଥ ସଂଗ୍ରହ କରି ଗୋଟିଏ ନଳକୂପ ଖନନ କରିଛନ୍ତି । ତେବେ ଉକ୍ତ ଗ୍ରାମବାସୀ ମାନଙ୍କ ପାଇଁ ଯାତାୟତ ଅବ୍ୟବସ୍ଥା କଥା କହିଲେ ନ ସରେ । କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ଥିବାବେଳେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ପ୍ରବେଶ କରିପାରିନଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଁ ଲୋକଙ୍କ ସହାୟତାରେ ଷ୍ଟ୍ରେଚରରେ ତିନି କିଲୋମିଟର କାଦୁଅ ରାସ୍ତାରେ ରୋଗୀକୁ ବୋହି ନେଇ ଆମ୍ବୁଲାନ୍ସ ପାଖକୁ ନେଇଥିବାର ଦୃଶ ସାମାଜିକ ଗଣ ମାଧ୍ୟମରେ ବେଶ ଭାଇରଲ୍ ହୋଇ ଚର୍ଚ୍ଚା ହୋଇଥିଲା । ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଛାତ୍ରଛାତ୍ରୀ କମ୍ ହେବାରୁ ତାହା ସରକାରଙ୍କ ନିଷ୍ପତି କ୍ରମେ ଅନ୍ୟ ସ୍ଥାନକୁ ସ୍ଥାନନ୍ତିରିତ ହୋଇଥିଲା । ବର୍ତ୍ତମାନ ଗାଁର ଛୋଟ ଛୋଟ ଶିଶୁମାନେ ପାଠ ପଢିବା ପାଇଁ ଚାରିରୁ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ପଡୁଛି । ବର୍ଷା ଦିନେ କାଦୁଅ ରାସ୍ତା ଯୋଗୁଁ ନାହିଁ ନଥିବା ଅବସ୍ଥାର ଶିକାର ହେଉଛନ୍ତି ଗାଁ ଲୋକେ । ଗାଁକୁ ଯିବ ପାଇଁ ହେଲେ ଏକ ନାଳ ପଡିଥାଏ । ତେବେ ବିପଦ ସଂକୁଳ ଅବସ୍ଥାରେ ନାଳ ଡେଇଁକି ଗାଁର ଲୋକେ ଯାତାୟାତ କରୁଛନ୍ତି । କିନ୍ତୁ ଦୁଃଖର କଥା ରାଜ୍ୟ ଓ କେନ୍ଦ୍ର ସରକାର ଗାଁ ଗାଁରେ ବିକାଶ ହେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ତାହା ବିପରୀତ ଅବସ୍ଥା ଏଇ ଗାଁରେ ଦେଖିବାକୁ ମିଳୁଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଗାଁ ଲୋକେ ଅନେକ ଥର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ୟ୍ୟନ୍ତ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି ତାଙ୍କ ଦୁଃଖ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗାଁଲୋକେ ଦୁଃଖର ସହ କହିଛନ୍ତି ଯେ, ନିର୍ବାଚନ ବେଳେ ଗାଁକୁ ଆସି ଅନେକ ନେତା, ମନ୍ତ୍ରୀ ମାଳ ମାଳ ପ୍ରତିଶୃତି ଦେଇଥିଲେ । ହେଲେ ନିର୍ବାଚନ ସରିବା ପରେ ନେତାଙ୍କ ପ୍ରତିଶୃତି ସାତସପନ ପାଲଟିଛି ।ଦେଖା ମିଳିଲା ନାହିଁ ନେତା ମନ୍ତ୍ରୀଙ୍କ । ଏବେ ଭଗବାନ ହିଁ ସାହା ଭରସା ପାଲଟିଛନ୍ତି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୈ।ଣସି ପଦକ୍ଷେପ ଗ୍ରହଣ ନ କରାଯିବ, ତେବେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।