csstore

ପରିବାର ନିୟୋଜନ ସଚେତନତା ପକ୍ଷରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ପୂଜାଶ୍ରୀ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଆଗାମୀ ପନ୍ଦର ଦିନ ଯାଏଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ଲୋକଙ୍କୁ ପରିବାର ନିୟୋଜନ ଉପରେ ସଚେତନତା କରାଇବ । ଏଠାରେ ସୂଚନାଯୋଗ୍ୟ ଯେ, ଜୁଲାଇ ୧୧ ତାରିଖକୁ ବିଶ୍ଵବ୍ୟାପି ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ଆମ ଦେଶରେ ମଧ୍ୟ ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ଆଣିବା ପାଇଁ ଏହି ଦିବସ ପାଳନ କରାଯାଏ । ତେବେ ଜୁନ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ଯାଏଁ ସଚେତନତା ପକ୍ଷ ପାଳନ କରାଯାଉଥିବା ବେଳେ ଜୁଲାଇ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ଯାଏଁ ସ୍ଥିରତା ପକ୍ଷ ପାଳନ କରାଯାଉଛି । ସଚେତନତା ପକ୍ଷରେ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ, ସେକ୍ଟର୍ ସ୍ତରରେ ଆଶା କର୍ମୀମାନଙ୍କୁ ପ୍ରଶିକ୍ଷଣ, ବେନର୍, ହୋଡିଂ, ପୋଷ୍ଟର ପ୍ରଦର୍ଶନ, ଲିଫଲେଟ୍ ବଣ୍ଟନ, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା ଲିଖନ, ଘରକୁ ଘର ବୁଲି ବ୍ୟକ୍ତିଗତ ଯୋଗାଯୋଗ ଆଦି ବ୍ୟାପକ ସଚେତନା ମୂଳକ ପଦକ୍ଷେପ ନିଆଯାଇଛି । ସ୍ଥିରତା ପକ୍ଷରେ ଉପଯୁକ୍ତ ହିତାଧିକାରୀଙ୍କୁ ପରିବାର ନିୟୋଜନ ସେବା ପ୍ରଦାନ କରିବାର ଯୋଜନା କରାଯାଇଛି । ବ୍ଲକ ସ୍ତରରେ ୬୦ ମହିଳା ଗର୍ଭ ନିରୋଧକ ଅସ୍ତ୍ରୋପଚାର, ୩ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାର, ୬୦ ଆୟୁସିଡି, ୮୦ ଅନ୍ତରା ସହ ଓପି, ସିସି ଏବଂ ଇସି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ସଚେତନତା ରଥ ଲୋକଙ୍କୁ ପରିବାର ନିୟୋଜନ ସମ୍ଵନ୍ଧୀୟ ସୂଚନା ଦେବାରେ ବିଶେଷ ସହାୟକ ହେବ ବୋଲି ବିଚାର କରାଯାଉଛି । ସମସ୍ତ କାର୍ଯ୍ୟକ୍ରମଟିକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଆୟୁଷ ଡାକ୍ତର ପ୍ରମୋଦ ମେହେର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ଏଲଏଚଭି ଏଡିଥ୍ ଖାଲକୋ, ଏଏନଏମ ରଂଜିତା ପଣ୍ଡା, କଲ୍ୟାଣୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ସ୍ଵାସ୍ଥ୍ୟକେନ୍ଦ୍ରର ସୀତୁ ସାହୁ, ତୟୁର ମହମ୍ମଦ, କୃଷ୍ଣଚନ୍ଦ୍ର ଚିନ୍ଦା, ମିତ୍ରଭାନୁ ପଧାନ ପ୍ରମୂଖ କାର୍ଯ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.