
ଲୋଇସିଂହା, (ବିମଳେନ୍ଦୁ ସାହେୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ନକଲି ଫାଇନାନ୍ସ ବ୍ୟାଙ୍କ ନାଁରେ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଲୋଇସିଂହା ପୋଲିସ । ସୂଚନା ମୁତାବକ, ଚଳିତ ବର୍ଷ ମେ ମାସରେ ଜଣେ ମହିଳା ଓ ଦୁଇ ଜଣ ଯୁବକ ଲୋଇସିଂହା ଜଡ଼ାମୁଣ୍ଡାର ଅଞ୍ଜଳି ନାଗଙ୍କ ଘରଭଡା ନେଇ ଡ଼ିଏମଆଇ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ଼ ନାମରେ ଏକ ସଂସ୍ଥା ଖୋଲିଥିଲେ । ପ୍ରଥମେ ଲୋନ ଦେବା ନାଁରେ ବିଭିନ୍ନ ଗ୍ରାମର ମହିଳାଙ୍କ ଠାରୁ ଆଧାର କାର୍ଡ, ପାସବୁକ ନେଇ ଜଣପିଛା ୧୦୦୦ରୁ ୩୦୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ । କିଛିଦିନ ପରେ ସେମାନେ ଲୋନ ଦେବା ତ ଦୂରକଥା ଅଫିସ ବନ୍ଦ କରି ଫେରାର ମାରିଥିଲେ । ସନ୍ଦେହ ହେବାରୁ ଲୁହୁରାମୁଣ୍ଡା ଗ୍ରାମର ଅଞ୍ଜଳି ପଧାନ ଓ ତାଙ୍କ ସ୍ଵାମୀ ପ୍ରକାଶ ପଧାନଙ୍କ ସହ ଠକେଇର ଶିକାର ହୋଇଥିବା ମହିଳାମାନେ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଲୋଇସିଂହା ପୋଲିସ ଥାନା କେସ ନଂ-୧୨୦, ତା: ୨୭.୦୫.୨୦୨୬ରେ ଏକ ମାମଲା ରୁଜୁ କରି ଖୋଳତାଡ଼ ଜାରି ରଖିଥିଲା । ଏଥିସହିତ ଏହି ମାମଲାରେ ଲୋଇସିଂହା ପୋଲିସ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ସିକିର୍ଡି ଗ୍ରାମର ଡ଼ିଙ୍ଗର ସାହୁ ଓରଫ ମିଣ୍ଟୁ ଗର୍ଡିଆ(୪୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।