
ପୁରୀ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶନିବାର ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସମଗ୍ର ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ରାଜ୍ୟପାଳ ନିଜ ପରିବାର ସହ ପ୍ରଥମେ ପୁରୀର ଲୋକଭବନରେ ପହଞ୍ଚିଥିଲେ। ସେଠାରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍ପି ପ୍ରତୀକ ସିଂ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପରେ ରାଜ୍ୟପାଳ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ମହାପ୍ରଭୁଙ୍କ ପବିତ୍ର ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା । ରାଜ୍ୟପାଳଙ୍କ ଦର୍ଶନ ସମୟରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରୋଟୋକଲ ଅଧିକାରୀ ନୀଳମାଧବ ଭୋଇ ଏବଂ ଅତିରିକ୍ତ ଏସ୍ପି ସୌମ୍ୟରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାରେ ସହଯୋଗ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ରାଜ୍ୟପାଳ ଓଡ଼ିଶାର ଜନସାଧାରଣଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।