ନିଃସହାୟ ବିଧବା ମହିଳା ଶୁଭକାନ୍ତୀଙ୍କ ନାହିଁ ନଥିବା ଦୁଃଖ : ରାସନ୍‌ କାର୍ଡ ଥାଇ ବି ପାଉନାହାନ୍ତି ଚାଉଳ

ତୁରେକେଲା, (କୈଳାଶ ସାଗରିଆ) : ସଂପୃକ୍ତ ବ୍ଲକ୍‌ ଅନ୍ତର୍ଗତ ହଲନ୍‌ଭଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁଶପାଲି ଗ୍ରାମର ନିଃସହାୟ ବିଧବା ଗରିବ ମହିଳା ଶୁଭକାନ୍ତୀଙ୍କ ସଂସାର ଦୁଃଖରେ ଭାସୁଛି । ପୁଣି ରାସନ୍‌ କାର୍ଡ ଥାଇ ମଧ୍ୟ ସେ ଲକ୍‌ଡାଉନ୍‌ ସମୟରୁ ଚାଉଳ ପାଉ ନଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୫ ଅଗଷ୍ଟ, ୨୦୧୮ରେ ତାଙ୍କ ସ୍ୱାମୀ ବିଶ୍ୱେଶ୍ୱର ମାଝୀ ଆରପାରିକୁ ଚାଲିଗଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅ ଧନମତି(୧୫) ଓ ଦୁଇ ପୁଅ ସୁଦାମ(୧୧) ଏବଂ ସୁରେନ୍ଦ୍ର(୧୦)ଙ୍କ ସମସ୍ତ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ଲଦି ହୋଇଗଲା । ସ୍ୱଭାବେ ଅତ୍ୟନ୍ତ ଗରିବ ପରିବାର । ତେବେ ନିଜ ସହ ୪ ପ୍ରାଣୀ ଏବେ ଖୁବ୍‌ ଦୁଃଖରେ କାଳାତିପାତ କରୁଥିବା ସୂଚନା ମିଳିଛି । ତାଙ୍କୁ ଚାଉଳ ମିଳୁ ନଥିବା ବିଷୟ ସେ ସରପଞ୍ଚଙ୍କୁ କହି କହି ଥକି ଯିବା ପରେ ବିଡ଼ିଓ. ମହାଶୟଙ୍କୁ ମଧ୍ୟ କୁଆଡେ଼ ଜଣାଇଛନ୍ତି । କିନ୍ତୁ କିଛି ଲାଭ ମିଳିଲା ନାହିଁ । ତାଙ୍କୁ ତାଙ୍କ ରାସନ କାର୍ଡ ଆଧାର ଲିଙ୍କ୍‌ ହୋଇ ନଥିବା ସରପଞ୍ଚ ଓ ସେଲ୍‌ସ୍‌ ମେନ୍‌ କହିଥିବା ସେ କହିଛନ୍ତି । ତେବେ ସେହି ଗରିବ ନିଃସହାୟ ମହିଳାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି । ତୁରେକେଲା ବିଡ଼ିଓ. ସଂପୃକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

Leave A Reply

Your email address will not be published.