oom

ଅସହାୟ ଶିଶୁଙ୍କୁ ସାହାଯ୍ୟର ହାତ ବଢାଇଲେ କଳିକେଶ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟ୍ଟା ଗ୍ରାମରେ ଦୁଇ ଶିଶୁ ଅନାଥ ହେବା ପରେ ତାଙ୍କ ଅଜା ଆଈ ବାଧ୍ୟ ହୋଇ ସେମାନଙ୍କୁ ଆଦରି ଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହି ଖବରକୁ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ସାଂସଦ କଳିକେଶ ସିଂଦେଓ ଓ ବଲାଙ୍ଗିର ଜିଲ୍ଲାପାଳକୁ ଟ୍ୱିଟ୍‌ କରାଯାଇଥିଲା । ସାଂସଦ କଳିକେଶ ନାରାୟଣ ସିଂ ଦେଓଙ୍କୁ ଟ୍ୱିଟ କରିବା ପରେ ଜିଲ୍ଲା ବିଜୁ ଜନତା ଦଳ ଏକ ପ୍ରତିନିଧି ଦଳ ଆଜି ଉକ୍ତ ଗ୍ରାମକୁ ପହଂଚି ଅସହାୟ ପରିବାରଙ୍କୁ ଭେଟି ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ପରିବାରବର୍ଗଙ୍କୁ କିଛି ଆର୍ଥିକ ସାହାଯ୍ୟ ସହିତ ପନିପରିବା ଓ କିରାନା ସାମଗ୍ରୀ ପ୍ରଦାନ କରିଥିଲେ । ତେବେ ପୂର୍ବତନ ସାଂସଦ ଶ୍ରୀ ସିଂଦେଓ ବ୍ୟକ୍ତିଗତ ଭାବରେ ବଲାଙ୍ଗିର ଜିଲ୍ଲାପାଲ ଓ ଟିଟିଲାଗଡ଼ ଉପଜିଲାପାଳଙ୍କ ସହିତ ଏହି ଘଟଣା ସମ୍ବନ୍ଧରେ ଫୋନରେ କଥା ହୋଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଲୋଚନା କରିବା ପ୍ରକାଶ କରିଥିବା ଦଳ କହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୂଷଣ ମିଶ୍ର, ଯୁବ ବିଜେଡି ସମ୍ପାଦକ ଗୋବିନ୍ଦ ଶତପଥୀ, ବ୍ଲକ ଆଇ. ପି ଟିକେଶ୍ୱର ସାହୁ, ପୂର୍ବତନ ସରପଂଚ ରାଜକିଶୋର ବୁଡେ଼କ ଓ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲାପାଳ ଚଂଚଳ ରାଣା ଅସହାୟ ପରିବାର କିଭଲି ତାଙ୍କର ନ୍ୟାର୍ଯ୍ୟଦାବୀ ପାଇପାରିବେ ସେନେଇ ଏମାର୍ଜେନ୍ସି ବିଭାଗକୁ ନିର୍ଦ୍ଦେଶ କରିଥିବା କହିଛନ୍ତି । ପ୍ରକାଶ ଥାଉ ଯେ, ରବି ଚନ୍ଦ୍ର ସାହୁ, ତାଙ୍କ ସ୍ତ୍ରୀ ରେବତୀ ଓ ପୁଅ ଭୀମସେନ(୧୬), ସୁଜାତା(୧୫), ଭଗବତୀ (୧୪) ଓ ମାଳତୀ(୧୨) ଚାରି ପୁଅ ଝିଅଙ୍କୁ ନେଇ ସୁଖୀ ପରିବାର ଥିଲେ । ରବି ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ପରେ ଚାରି ପୁଅ ଝିଅ ମାନଙ୍କୁ ଧରି ରେବତୀ ପରିବାରକୁ ପରିପୋଷଣ କରିଆସୁଥିଲେ । ଗତ ୨୦୨୦ ସେପ୍‌ଟେମ୍ବର ମାସରେ ରେବତୀ ଓ ପୁଅ ଭୀମସେନ ଚାଷ କ୍ଷେତରୁ ଫେରୁଥିବା ସମୟରେ ହଠାତ ବଜ୍ରାଘାତ ଘଟିଥିଲା । ଏଥିରେ ମା’ ରାବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ହେଲେ ଭୀମସେନ ଗୁରୁତର ଆହତ ହୋଇ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସିତ ହେବା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତାପରେ ଭୀମସେନ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବଲାଙ୍ଗିର ପ୍ରଶାସନଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ଟିମ ପହଂଚି ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରିଥିଲେ । ପରେ ଅଜାଆଈ ୨ ଜଣ ଭଗବତୀ ଓ ମାଳତୀଙ୍କୁ ଛାଡିବା ପାଇଁ ରାଜି ହୋଇଥିଲେ । ଏବେ ଘରେ ଭୀମସେନ ଓ ଝିଅ ସୁଜାତା ରହିଛନ୍ତି । କିନ୍ତୁ ପଂଚାୟତ ତରଫରୁ ଚାରି ପୁଅ ଝିଅଙ୍କ ନାମରେ ମାତ୍ର ୨୦ କେଜି ଚାଉଳ ମିଳୁଥିବା ଜଣାପଡ଼ିଛି । ପରେ ପଂଚାୟତ କର୍ତ୍ତୃପକ୍ଷ ପହଂଚି ଅନ୍ତୋଦୟ ତାଲିକାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଶାସନ ତରଫରୁ କୋଣସି ସରକାରୀ ଯୋଜନା ସାମିଲ କରାଯାଇନାହିଁ । ଏହା ସହିତ ତହସିଲଦାର ଅଫିସରୁ ମଧ୍ୟ ମାଆଙ୍କ ମୃତ୍ୟୁ ପରେ କୋଣସି ଆର୍ଥିକ ସହାୟତା ମିଳି ନଥିବା ପରିବାର ବର୍ଗ ଅଭିଯୋଗ କିରଛନ୍ତି । ବର୍ତମାନ ଦୁଇ ଅସହାୟ ଶିଶୁ ଅଜାଆଈଙ୍କ ଭରସାରେ ରହିଁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ନିରୀହ ଅନାଥ ଶିଶୁଙ୍କ ପାଇଁ ସରକାରୀ ଆବାସ ଯୋଜନା ସାଙ୍ଗକୁ ଆର୍ଥିକ ସହାୟତା ଦିଆଯିବା ପାଇଁ ଅଂଚଳବାସୀଙ୍କ ତରଫରୁ ଦାବୀ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.