ଶୋକବାର୍ତ୍ତା : ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ରାଜ୍ୟ କଂଗ୍ରେସର ଅପୂରଣୀୟ କ୍ଷତି ଘଟିଛି : ନିରଞ୍ଜନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପ-ନିର୍ବାଚନରେ କଂଗ୍ରେସ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନା ଜନିତ ମହାମାରୀରେ ଅକାଳ ବିୟୋଗ ଯୋଗୁଁ ମୁଁ ଗଭୀର ମର୍ମାହତ ଓ ଦୁଃଖିତ ବୋଲି ଏକ ପ୍ରେସବାର୍ତ୍ତାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି । ‌ସ୍ୱର୍ଗତ ମଙ୍ଗରାଜ କଂଗ୍ରେସ ଦଳର ଜଣେ ନିର୍ଭୀକ, ସଚ୍ଚୋଟ ଓ ଟାଣୁଆ ନେତା ରୂପେ ସମଗ୍ର ପୁରୀ ଜିଲ୍ଲାରେ ଜନପ୍ରିୟ ଓ ମେଳାପୀ ଥିଲେ । ପ୍ରକାଶ ଥାଉକି, କରୋନା ପଜିଟିଭରେ ଚିହ୍ନଟ ହୋଇ ସେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅକାଳ ବିୟୋଗ ଏବଂ ମଙ୍ଗରାଜ ବାବୁଙ୍କ ବିୟୋଗ ପିପିଲି- ଡେଲାଙ୍ଗ ଓ ପୁରୀବାସୀଙ୍କ ପାଇଁ ସର୍ବୋପରି ରାଜ୍ୟ କଂଗ୍ରେସ ପାଇଁ ଅପୂରଣୀୟ କ୍ଷତି ଘଟିଛି, ବୋଲି କହିଛନ୍ତି । ଆମ ରାଜ୍ୟ ଜଣେ ଦକ୍ଷ ଯୁବ ନେତାଙ୍କୁ ହରାଇଲା ବୋଲି ମଧ୍ୟ କହିଥିଲେ । ଗତକିଛି ମାସ ତଳେ ସେ ପୁରୀ ଜିଲ୍ଲା ସଭାପତି ନିଯୁକ୍ତ ହେବା ପରେ ପୁରୀ ଜିଲ୍ଲା କଂଗ୍ରେସ ସଂଗଠନକୁ ମଜବୁତ କରିବାପାଇଁ ବହୁତ ଚେଷ୍ଟା ଜାରି ରଖିଥିଲେ । ସ୍ୱର୍ଗତ ମଙ୍ଗରାଜଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଶୁଭେଚ୍ଛୁମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କୁ ଅସୀମ ଧୈର୍ୟ୍ୟ ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.