ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ତେବେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି । କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରତିଦିନ ପ୍ରଶାସନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଯାଉଛି । ତେଣୁ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଓ ‌ଦ୍ୱାଦଶ ତଥା ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଆଜି ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟିକରଣ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଦଶମ ଓ ‌ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ । ଅଧିକ ପରୀକ୍ଷା କେନ୍ଦ୍ର କରାଯାଇ ପରୀକ୍ଷା କରାଯିବ । ତେଣୁ ମାଟ୍ରିକ୍‌ ଓ ‌ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ । ମେ’ ୩ରୁ ୧୫ ତାରିଖ ପର୍ୟ୍ୟନ୍ତ ଦଶମ ତଥା ମାଟ୍ରିକ୍ ପରୀକ୍ଷା ହେବ । ସେହିପରି ମେ’ ୧୮ରୁ ଜୁନ୍ ୧୨ ପର୍ୟ୍ୟନ୍ତ ଦ୍ୱାଦଶ ତଥା ଯୁକ୍ତ ୨ ପରୀକ୍ଷା ହେବ । ତେବେ ଏପ୍ରିଲ ୨୫ ତାରିଖ ପର୍ୟ୍ୟନ୍ତ ଏହି ଦୁଇ ଶ୍ରେଣୀର ଅଫଲାଇନ ପାଠପଢ଼ା ଚାଲୁ ରହିବା ନେଇ ସ୍ପଷ୍ଟ କରାଯାଇଥିବା ବେଳେ ହଷ୍ଟେଲରେ ରହୁଥିବା ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ ଜରିଆରେ ସେମାନଙ୍କର ପାଠପଢ଼ା ହେବ ।

Leave A Reply

Your email address will not be published.