ମା’ ମାହେଶ୍ୱରୀ ଚୁଡାଖାଇ ଯାତ୍ରା ପାଇଁ ପ୍ରସି‌ଦ୍ଧ ଡଙ୍ଗରର ବିକାଶ ପାଇଁ ଦାବୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପଂଚରାର ଚୁଡାଖାଇ ଯାତ୍ରା ବୌଦ୍ଧ ଜିଲାର ଐତିହକୁ ବହନ କରିଛି । ପ୍ରତି ବର୍ଷ ମାର୍ଗଶିର ମାସ ଶେଷ ଗୁରୁବାର ଦିନ ଏହି ଐତିହାସିକ ଯାତ୍ରା ଡଙ୍ଗରରେ ମା’ ମାହେଶ୍ୱରୀଙ୍କୁ ପୂଜା କରିଥାନ୍ତି ପଂଚରା ଅଞ୍ଚଳର ଲୋକମାନେ । ଏହି ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ ନିଜର ହାରି ଗୁହାରି ମା’ଙ୍କ ନିକଟରେ କରିଥାନ୍ତି । ଏହି ଯାତ୍ରା ବେଳେ ଡ଼ଙ୍ଗରକୁ ଯିବାକୁ ହେଲେ, କସୁରବନ୍ଧ ପଂଚାୟତ ଠାରୁ ୨ କିମି ଜଙ୍ଗଲିଆ ଚଲା ପଥ ଦେଇ ଯିବାକୁ ପଡେ, ଯାଅଫଳରେ ଭକ୍ତ ମାନେ ନାହିଁ ନଥିବା ଅସୁବିଧା ଭୋଗିଥାଆନ୍ତି । ଏହି ଯାତ୍ରା ଡଙ୍ଗରର ଚର୍ତୁ ପାର୍ଶ୍ଵରେ ଜଙ୍ଗଲ ଲାଗିରହିଛି ଏବଂ ଡଙ୍ଗରରେ ଭୀମ ଗୁମ୍ଫା, ଭୀମ ପାଦ, ପଞ୍ଚୁପାଣ୍ଡବଙ୍କ ବନବାସ ସମୟର ଅନେକ ସ୍ମୃତିବହନ କରିଥବାର ଚିତ୍ରକୁ ପଥର ଦେହରେ ଦେଖିବାକୁ ମିଳିଥାଏ ବୋଲି ସାଧାରଣରେ କିଛି ଲୋକମତ ରହିଛି । ଏହି ଐତିହାସିକ ଡଙ୍ଗରକୁ ଯିବା ପାଇଁ ପାହାଚ ପଂଚରା ଅଂଚଳର ଜନସାଧରଙ୍କ ଦାନରେ ତିଆରି ହୋଇଥିବା ବେଳେ ଏବେ ବି ତାହା ଅଧାରେ ପଡ଼ି ରହିଛି । ପାନୀୟ ଜଳ କି ଆଲୁଅର କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ବହୁ ଅସୁବିଧାର ସାମ୍ନା କରିଥାନ୍ତି । ଯାତ୍ରା ଡଙ୍ଗରର ଏ ସବୁ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.