ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସମ୍ମୁଖରେ ଝୋଟି ଚିତା ଏବଂ କଳସ।ପଞ୍ଚବାଦ୍ୟ ରେ ଦୁଲୁକି ଉଠୁଥିଲା ଗାଁ ଦାଣ୍ଡ।ଏକ ଲମ୍ବା ଶୋଭା ଯାତ୍ରା । ରାସ୍ତା କଡ଼ରେ ଫୁଲମାଳ ଧରି ଠିଆ ହୋଇଥିଲେ ଛୁଆଠୁ ବୁଢ଼ା । ଲାଗୁଥିଲା ସତେ ଯେମିତି ଗାଁ ଗସ୍ତରେ କୈାଣସି ଜଣେ ବଡ ରାଜନେତା ଅବା ସରକାରୀ ବାବୁ ଆସୁଛନ୍ତି । କିନ୍ତୁ ଏହିସବୁ ଆୟୋଜନ କୈାଣସି ରାଜନେତା ଅବା ଅଫିସର ପାଇଁ ନୁହେଁ । ଦୀର୍ଘ ୨୦ ବର୍ଷ ଧରି ମାଓପ୍ରବଣ ଖପ୍ରାଖୋଲ ବ୍ଲକ ଭାନପୁର ନୋଡାଲ ୟୁପି ସ୍କୁଲରେ ସରକାରୀ ଶିକ୍ଷକ ଭାବରେ କାର୍ୟ୍ୟ କରି ଆସୁଥିବା ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ବିଦାୟକାଳୀନ ମୂହୂର୍ତ୍ତର ଦୃଶ୍ୟ । ସୂଚନାଯୋଗ୍ୟ ଯେ, ରବିବାର ଭାନପୁର ଆଞ୍ଚଳିକ ସାଧନ କେନ୍ଦ୍ର ଏବଂ ଶିକ୍ଷକ ମାନଙ୍କ ତରଫରୁ ଶ୍ରୀ ସାହୁଙ୍କୁ ଏଭଳି ଢଙ୍ଗରେ ବିଦାୟ ଦିଆଯାଇଛି । ଏ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନକେତନ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପରେ ଆଦର୍ଶ ଶିକ୍ଷକ ଶ୍ରୀ ସାହୁଙ୍କୁ ଭାନପୁର ଗାଁ ପରିଭ୍ରମଣ କରାଯାଇଥିଲା । ଗ୍ରାମବାସୀ ଭାବବିହ୍ବଳ ପରିବେଶରେ ନିଜର ଆଦର୍ଶ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ । ସଭାସ୍ଥଳକୁ ଆସିବା ପୂର୍ବରୁ ଶିକ୍ଷକଙ୍କୁ ନେଇ ଶୋଭାଯାତ୍ରା ହୋଇଥିଲା । କଳସ ସ୍ଥାପନ କରାଯାଇଥିଲା । ମହିଳା ମାନେ ଶିକ୍ଷକଙ୍କୁ ଉପଢୌକନ ଦେଇ ଗୋଡ଼ ଧୋଇ କାନ୍ଦି କାନ୍ଦି ବିଦାୟ ଦେଇଥିଲେ । ଦୀର୍ଘ ୨୦ ବର୍ଷ ଧରି ନୀରବଚ୍ଛିନ୍ନ ଭାବରେ ଭାନପୁର ଗାଁରେ ଶିକ୍ଷାଦାନ ଦେଇ ଗାଁବାସୀ ତଥା ଅଭିଭାବକ ମହଲରେ ସେ ପ୍ରିୟପାତ୍ର ହୋଇଥିଲେ । ନାଚଗୀତ ମାଧ୍ୟମରେ ଶିକ୍ଷାଦାନ କରୁଥିବାରୁ ଛାତ୍ରଛାତ୍ରୀ ମାନେ ପସନ୍ଦ କରୁଥିଲେ । ଏପରିକି ଗତ କୋରୋନା ସମୟରେ ସେ ସ୍କୁଲକୁ ନଯାଇ ଗାଁ ମଣ୍ଡପରେ ସାମାଜିକ ଦୂରତା ରଖି ଛୁଆ ମାନଙ୍କୁ ଶିକ୍ଷାଦାନ କରୁଥିଲେ । ଶ୍ରୀ ସାହୁଙ୍କ ବିଦାୟ ଯୋଗୁଁ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।