jayashree

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଜାତୀୟ ସେମିନାର ‘THPCA-୨୦୨୬’, ସ୍ୱାସ୍ଥ୍ୟସେବାରେ ନୂତନ ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ, ଆଧୁନିକ ଚିକିତ୍ସା ପଦ୍ଧତି ଏବଂ ରୋଗୀକୈନ୍ଦ୍ରିକ ସେବାକୁ ଅଧିକ ଗୁରୁତ୍ୱ ଦେବା ଲକ୍ଷ୍ୟରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଜାତୀୟ ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ‘ଟ୍ରାନ୍ସଫର୍ମିଂ ହେଲ୍ଥକେୟାର: ଇମର୍ଜିଂ ଟେକ୍ନୋଲୋଜିଜ୍, ଥେରାପ୍ୟୁଟିକ୍ ଇନୋଭେସନ୍ସ ଆଣ୍ଡ ପେସେଣ୍ଟ ସେଣ୍ଟର୍ଡ ଆପ୍ରୋଚେସ୍’ ଶୀର୍ଷକରେ ଆୟୋଜିତ ଏହି ସମ୍ମିଳନୀର ନାମ ରହିଥିଲା ‘THPCA-୨୦୨୬’ । ବିଶ୍ୱବିଦ୍ୟାଳୟର ଫାର୍ମାସୀ ଓ ନର୍ସିଂ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସ୍ୱାସ୍ଥ୍ୟକର୍ମୀ ଏବଂ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଆଧୁନିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରାଇବା ସହ ନୂତନ ଗବେଷଣା ଓ ଚିକିତ୍ସା ପ୍ରଣାଳୀ ବିଷୟରେ ଜ୍ଞାନ ଆଦାନପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ମୁଖ୍ୟ ଅତିଥି ଡ. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ସେମିନାରର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ପୃଷ୍ଠପୋଷକ ଭାବେ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ଧ୍ରପ୍ରଦେଶର ସ୍କୁଲ ଅଫ୍ ଫାର୍ମାସୀର ଡିନ୍ ପ୍ରଫେସର ରେହମାନ ଏସ୍.କେ. ଏବଂ ଭିଲାଇର ପିଜି କଲେଜ ଅଫ୍ ନର୍ସିଂର ରିଡର ପ୍ରଫେସର ସୁଶୀଳା ବୈଷ ଯୋଗଦେଇ ସ୍ୱାସ୍ଥ୍ୟସେବାରେ ନୂତନ ଆବିଷ୍କାର ଓ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେମିନାରର ଆବାହକ ଭାବେ ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରଞ୍ଜିତ ଏବଂ ନର୍ସିଂ ବିଭାଗର ଅଧ୍ୟକ୍ଷା ପ୍ରିୟା ପ୍ରିସ୍କିଲା ଦାୟିତ୍ୱ ତୁଳାଇଥିଲେ । ସ୍ଥାନୀୟ ଆୟୋଜକ କମିଟିରେ ସୋମନାଥ ଷଡ଼ଙ୍ଗୀ, ଡ. ବିଜୟ କୁମାର ମେହେର ଓ ପ୍ରଫେସର ପ୍ରତିଭା ଶତପଥିଙ୍କ ସମେତ ଡ. ସ୍ୱର୍ଣ୍ଣଜିତ ତ୍ରିପାଠୀ, ଡ. ଦୁର୍ଗା ପ୍ରସାଦ ମିଶ୍ର ଓ ତେଜସ୍ୱିନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପୋଷ୍ଟର ପ୍ରଦର୍ଶନୀ, ମୌଖିକ ଉପସ୍ଥାପନା ଓ ସାର୍ଟିଫିକେଟ ବିତରଣ ଆୟୋଜିତ ହୋଇଥିଲା । ପୋଷ୍ଟର ପ୍ରଦର୍ଶନୀର ବିଚାରକ ଭାବେ ପ୍ରଫେସର ସୁନୀଲ କୁମାର ଝା ଓ ପ୍ରଫେସର ହିମାଂଶୁ ଭୂଷଣ ବିଶ୍ୱାଳ ଦାୟିତ୍ୱ ତୁଲାଇଥିବା ବେଳେ ମୌଖିକ ଉପସ୍ଥାପନାର ବିଚାରକ ଥିଲେ ପ୍ରଫେସର ଗୁରୁଦତ୍ତ ପଟ୍ଟନାୟକ ଓ ପ୍ରଫେସର ସୂର୍ଯ୍ୟନାରାୟଣ ଦାଶ । କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ପ୍ରଫେସର ଭକ୍ତି ପଢାରିଆ ଓ ସ୍ମୃତି ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲେ । ପରେ ଅତିଥି ଓ ଅଧ୍ୟାପକ, ଅଧ୍ୟାପିକାଙ୍କୁ ସମ୍ମାନିତ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶେଷରେ ଆୟୋଜିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସେମିନାରର ଆକର୍ଷଣକୁ ଆହୁରି ବଢ଼ାଇଥିଲା । ଏହି ଜାତୀୟ ସମ୍ମିଳନୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନ, ଗବେଷଣା ଓ ନବସୃଜନ ପାଇଁ ଏକ ଉତ୍ତମ ମଞ୍ଚ ସାଜିଥିଲା ।

Leave A Reply

Your email address will not be published.