jayashree

ମହତାବ ଉଚ୍ଚ ବିଦ୍ୟାଳୟରେ ଡେଲାଙ୍ଗ ମଣ୍ଡଳସ୍ତରୀୟ ‘ସୁରଭି’ ଉଦଯାପିତ : ୫୦୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୯ ଜଣ ପୁରସ୍କୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ମିଳିଲା ନୂଆ ପରିଚୟ । ନାଚ, ଗୀତ, ବିତର୍କ, ବକ୍ତୃତା ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତାରେ ଝଲସିଲା କୁନି କୁନି ପ୍ରତିଭାଙ୍କ ଚମକ । ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ଡେଲାଙ୍ଗ ମଣ୍ଡଳସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷା ରମାଦେବୀ ରାଉତରାୟ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଇଓ ପୀତବାସ ସେଠୀ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ବିଜୟ କୁମାର ସେଠୀଙ୍କ ସମେତ ବହୁ ଶିକ୍ଷାବିତ୍, ଜନପ୍ରତିନିଧି ଓ ଅତିଥି ଯୋଗଦେଇଥିଲେ । ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ହେଉଛି ଆମର ଗୌରବ ଓ ସ୍ୱାଭିମାନ । ‘ସୁରଭି’ ଭଳି ମଞ୍ଚ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ମଣ୍ଡଳ ଶିକ୍ଷା ଅଧିକାରୀ ପୀତବାସ ସେଠୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ ଆତ୍ମା ଅଧ୍ୟକ୍ଷ ଲଡୁ କିଶୋର ରାୟ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଓ ଏବିଇଓମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚମତ୍କାର ନୃତ୍ୟ ଓ ସଙ୍ଗୀତ ପରିବେଷଣରେ ମୁଗ୍ଧ ହୋଇଥିଲେ । ବିଧାୟକ ମଧ୍ୟ ଦୀର୍ଘ ସମୟ ଧରି କାର୍ଯ୍ୟକ୍ରମରେ ରହି ପିଲାମାନଙ୍କ ପ୍ରତିଭାକୁ ଉପଭୋଗ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ‘ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ନେଇ ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୦୮ ଜଣ ଛାତ୍ରଛାତ୍ରୀ ୨୭ଟି ବିଭାଗରେ ଅଂଶଗ୍ରହଣ କରିଥିଲେ । ବିତର୍କ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ବକ୍ତୃତା, ଚିତ୍ରକଳା, କୁଇଜ୍, ରଚନା ଓ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ୯୯ ଜଣ କୃତୀ ପ୍ରତିଯୋଗୀଙ୍କୁ ବିଧାୟକ ପୁରସ୍କୃତ କରିଥିଲେ । ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମରେ ସିଆର୍‌ସିସି ତପନ ମଲ୍ଲିକ ଓ ଶିକ୍ଷକ ଦିଲ୍ଲୀପ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ଦୁର୍ଯ୍ୟୋଧନ ପ୍ରଧାନ ଏବଂ ଉଦଯାପନୀ ସନ୍ଧ୍ୟାରେ ନଟବର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପଙ୍କଜ ବେହେରା ଓ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ୧୬ଟି ସାଧନ କେନ୍ଦ୍ରର ସିଆର୍‌ସିସି, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବିଭାଗର ବିଚାରକମାନେ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ । ଡେଲାଙ୍ଗ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଅଗ୍ନିଶମ ଅଧିକାରୀ ଗୋପବନ୍ଧୁ ସାହୁଙ୍କ ତତ୍ତ୍ୱାବଧାନରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୁରଭି ମଞ୍ଚରେ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରତିଭା ପ୍ରଦର୍ଶନ ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା ।

Leave A Reply

Your email address will not be published.