jayashree

ଜାତୀୟ କବାଡି ମଇଦାନରେ ଚମକିବେ ମାଣ୍ଡୋସିଲର ଶୁଭମ : ଓଡ଼ିଶା ଦଳରେ ପାଇଲେ ସ୍ଥାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟସ୍ତରରେ ଓଡ଼ିଶାର ଗୌରବ ବଢ଼ାଇବେ ବରଗଡ଼ ଜିଲ୍ଲାର ଉଦୀୟମାନ କବାଡି ଖେଳାଳି ଶୁଭମ ଭୋଇ । ପାଇକମାଲ ବ୍ଲକ୍ ମାଣ୍ଡୋସିଲ ଗ୍ରାମର ଶୁଭମ ଓଡ଼ିଶା ଜୁନିୟର ନ୍ୟାସନାଲ କବାଡି ଦଳରେ ସ୍ଥାନ ପାଇଛନ୍ତି । ଏହାଫଳରେ ବିହାରରେ ଆୟୋଜିତ ହେବାକୁ ଥିବା ୫୨ତମ ଜାତୀୟ କବାଡି ପ୍ରତିଯୋଗିତାରେ ସେ ଓଡ଼ିଶା ପକ୍ଷରୁ ଖେଳିବାର ସୁଯୋଗ ପାଇବେ । ଶୁଭମ ହେଉଛନ୍ତି ମାଣ୍ଡୋସିଲ ଗ୍ରାମର କ୍ଷିତ ଭୋଇ ଓ ଆହ୍ଲାଦିନୀ ଭୋଇଙ୍କ ପୁଅ । ବର୍ତ୍ତମାନ ସେ ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟୟନ କରୁଛନ୍ତି । ପିଲାଟି ଦିନରୁ କବାଡି ପ୍ରତି ତାଙ୍କର ରହିଥିବା ଆଗ୍ରହ ଓ ନିୟମିତ ଅଭ୍ୟାସ ତାଙ୍କୁ ଏହି ସଫଳତା ଦେଇଛି । ପୂର୍ବରୁ ସେ ରାଜବୋଡ଼ାସମ୍ବର ଦଳ ପକ୍ଷରୁ ଖେଳିବା ସହ ଦିଲ୍ଲୀରେ ଏକ ବର୍ଷ ଧରି କବାଡି ପ୍ରଶିକ୍ଷଣ ମଧ୍ୟ ଗ୍ରହଣ କରିଥିଲେ । ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ଶୁଭମଙ୍କ ଚୟନ ହେବା ପରେ ମାଣ୍ଡୋସିଲ ଗ୍ରାମ ସମେତ ସମଗ୍ର ପାଇକମାଳ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଆଗାମୀ ଜାତୀୟ ପ୍ରତିଯୋଗିତାରେ ଶୁଭମ ଉତ୍କୃଷ୍ଟ ପ୍ରଦର୍ଶନ କରି ଅଞ୍ଚଳ ତଥା ରାଜ୍ୟର ନାଁ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.