
ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଗାଁ ଗାଁରେ ବିଜେପି କାର୍ଯ୍ୟକର୍ତ୍ତା : ପ୍ରଭାବିତ ପରିବାରଙ୍କ ଘରେ ପହଞ୍ଚି ଦୁଃଖ ଓ ସମସ୍ୟା ବୁଝିଲେ ଦଳୀୟ ପ୍ରତିନିଧି
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରଦ୍ୱାର ସମେତ ଲୋକଙ୍କ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ବାସ୍ତବ ଚିତ୍ର ଅନୁଧ୍ୟାନ କରିଛନ୍ତି ଦାରିଙ୍ଗବାଡ଼ି ଭାଜପା ମଣ୍ଡଳର କାର୍ୟ୍ୟକର୍ତ୍ତା । କନ୍ଧମାଳ ଜିଲ୍ଲା ଭାଜପା ଉପସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ବିଭିନ୍ନ କ୍ଷତିଗ୍ରସ୍ତ ପରିବାରଙ୍କ ଘରକୁ ଘର ଯାଇ ସ୍ଥିତି ପରଖିଥିଲେ । ଏହି ଗସ୍ତରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ମିଟୁ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମହେନ୍ଦ୍ର ପ୍ରସାଦ ଦାସ, ଏସ୍ଟି ମୋର୍ଚ୍ଚା ମଣ୍ଡଳ ସଭାପତି ରଜନୀକାନ୍ତ ପ୍ରଧାନ, ଏସ୍ସି ମୋର୍ଚ୍ଚା ମଣ୍ଡଳ ସଭାପତି କୁନାଲ ନାୟକ, ମଣ୍ଡଳ ଉପସଭାପତି ଯୁବରାଜ ପ୍ରଧାନ ଓ କୃଷକ ମୋର୍ଚ୍ଚା ସଭାପତି ସୁବଳ ନାୟକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଗସ୍ତ ସମୟରେ ବାତ୍ୟା ଓ ଅତିବୃଷ୍ଟି ଯୋଗୁଁ କେଉଁ ପରିବାରର ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି, କାହାର ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଛି, ସେ ସମ୍ପର୍କରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଏଥିସହ ସେମାନଙ୍କ ଅସୁବିଧା ଓ ବର୍ତ୍ତମାନର ଜୀବନଯାପନ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁର୍ଦ୍ଦଶାକୁ ବୁଝିବା ସହ ସମସ୍ୟାଗୁଡ଼ିକୁ ଗୁରୁତ୍ୱ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି । ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ପରିବାରଙ୍କ କ୍ଷୟକ୍ଷତିର ଉଚିତ ଆକଳନ ଓ ସହାୟତା ପ୍ରସଙ୍ଗ ଏବେ ଗୁରୁତ୍ୱ ବହନ କରୁଛି ।