
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡଟିକା ସ୍ଥିତ ଜବାହରଲାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର “ଇକୋ କ୍ଲବ୍” ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ “ଆମ ପରିବେଶ, ଆମ ଭବିଷ୍ୟତ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇକୋକ୍ଲବ୍ ଶିକ୍ଷକ ଛନ୍ଦାଚରଣ ପଧାନ ତଥା ପ୍ରଧାନଶିକ୍ଷକ ଦିଲୀପ କୁଅଁରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁ ଯୋଗଦେଇ ଜଙ୍ଗଲ କ୍ଷୟକୁ ରୋକିବା ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ତଥା ଜୈବ ବିବିଧତାର ସୁରକ୍ଷା ଦିଗରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ । ସମ୍ମାନିତ ଅତିଥି ଭାବେ ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାତ୍ର, ଶିକ୍ଷାବିତ ଲମ୍ବୋଦର ନାଏକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବୁଦ୍ଧଦେବ ସାହୁ, ସିଆରସିସି ହୃଷୀକେଶ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଦ୍ୟାଦାତା ଗଣେଶଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ପ୍ରଜ୍ୱଳନ ପରେ ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶିକ୍ଷକ ଭାସ୍କର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଦିଲୀପ କୁଅଁର ସ୍ୱାଗତ ଅଭିଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କ୍ରମବର୍ଦ୍ଧିଷ୍ଣୁ ଜଙ୍ଗଲ କ୍ଷୟ ତଥା ଗଛକଟା ହେଉଥିବା ଯୋଗୁଁ ଆମର ଜୈବ ବିବିଧତା ବର୍ତ୍ତମାନ ବିପନ୍ନ ହୋଇ ପଡ଼ିଛି । ପରିବେଶ ସୁରକ୍ଷିତ ରହିଲେ ହିଁ ଆମର ଭବିଷ୍ୟତ ସୁରକ୍ଷିତ ରହିବ । ଏଥିପାଇଁ ସମସ୍ତେ ଆବଶ୍ୟକ ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଜୈବ ବିବିଧତାର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଉପସ୍ଥିତ ଅତିଥି ଗଣ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଔଷଧୀୟ ବୃକ୍ଷ ତଥା ଗୁଳ୍ମଲତା ଗୁଡ଼ିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏଥିରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଫ୍ଇଏସ୍ ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁଙ୍କ ସମେତ ସାଗୁଆ ବଲାଙ୍ଗିରର ସଭାପତି ଜୟପ୍ରକାଶ ନାରାୟଣ ପୁରୋହିତ, ସତ୍ୟନାରାୟଣ ପଟେଲ, ବିଶ୍ୱେଶ୍ୱର୍ ମିଶ୍ର, ଜଗଦାନନ୍ଦ ସେଠୀ, ଲଳିତ ମେହେର, ଓମ୍ପ୍ରକାଶ ପଟେଲ, ଶିକ୍ଷକ ଉଗ୍ରସେନ ନାଏକ ପ୍ରମୁଖଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଶିକ୍ଷକ ଭାସ୍କର ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।