
ବଲାଙ୍ଗିର, (କେପିଏନ୍ଏସ୍) : ରେଳ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ କରିଛି ବଲାଙ୍ଗିର ଜିଆରପି ପୋଲିସ । ବଲାଙ୍ଗିର ରେଳ ଷ୍ଟେସନରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ରାଜସ୍ଥାନର ବରନ ଜିଲ୍ଲାର ରାହୁଲ ପ୍ରଜାପତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ରାହୁଲ ଏକ ଟ୍ରଲି ବ୍ୟାଗ ଧରି ବଲାଙ୍ଗିର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଟାଟା-ଆଣ୍ଡାକୁଲମ୍ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଷ୍ଟେସନରେ ପାଟ୍ରୋଲିଂ କରୁଥିବା ଜିଆରପି ପୋଲିସ କର୍ମଚାରୀଙ୍କର ତାଙ୍କ ବ୍ୟାଗ ଉପରେ ସନ୍ଦେହ ହୋଇଥିଲା । ଏହାପରେ ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୬ଟି ପ୍ୟାକେଟରେ ଥିବା ୧୨ କେଜି ଗଞ୍ଜେଇ ମିଳିଥିଲା । ପୋଲିସର ପଚରାଉଚରା ବେଳେ ରାହୁଲ ବଲାଙ୍ଗିର ଦୁର୍ଗା ମନ୍ଦିର ପଛପଟେ ଥିବା ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଗଞ୍ଜେଇ ଆଣିଥିବା କହିଥିବା ସୂଚନା ମିଳିଛି । ବଲାଙ୍ଗିରରୁ ଟ୍ରେନ ଯୋଗେ ଟିଟିଲାଗଡ଼ ଯାଇ ସେଠାରୁ ରାୟପୁରକୁ ଗଞ୍ଜେଇ ଚାଲାଣ କରିବା ତାଙ୍କର ଯୋଜନା ଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜିଆରପି ଥାନାଧିକାରୀ ଏସ୍. ମିର୍ଦ୍ଧା ସୂଚନା ଦେଇଛନ୍ତି । ଏହି ଘଟଣାରେ ଗଞ୍ଜେଇ ଯୋଗାଣକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରିରଖିଛି ।