jayashree

ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ

  • ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଥିବା ବର୍ଷା ଓ ପବନ ଜନଜୀବନକୁ ପ୍ରଭାବିତ କରିଛି । ସମ୍ଭାବ୍ୟ ଭୂସ୍ଖଳନ ଓ ବାତ୍ୟାଜନିତ କ୍ଷୟକ୍ଷତିର ସ୍ଥିତି ପରଖିବା ସହ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ବୁଧବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ । ଗସ୍ତ ସମୟରେ ସେ ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ଅବରୋଧ ହଟାଇବା ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଥିଲେ । ମନ୍ତ୍ରୀ ପ୍ରଥମେ କନ୍ଧମାଳ-ଗଞ୍ଜାମ ସୀମାରେ ଜାତୀୟ ରାଜପଥ-୫୯ର ଗାଜଲବାଡ଼ି ଘାଟିସ୍ଥିତ ବାୟମାଲା ଚେକ୍‌ଗେଟ୍‌ରେ ପହଞ୍ଚିଥିଲେ । ଭୂସ୍ଖଳନ ଆଶଙ୍କାରେ ମଙ୍ଗଳବାର ଠାରୁ ବନ୍ଦ ରହିଥିବା ଏହି ଘାଟିର ସ୍ଥିତି ସମ୍ପର୍କରେ ସେ ଜିଲ୍ଲାପାଳ ବେଦଭୂଷଣଙ୍କ ସହ ଆଲୋଚନା କରିଥିଲେ । ପାହାଡ଼ିଆ ରାସ୍ତାରେ ଯାତାୟାତ ସୁରକ୍ଷା ଓ ସମ୍ଭାବ୍ୟ ବିପଦ ସମ୍ପର୍କରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ଡୁଲୁରୀ ରାସ୍ତାରେ ପହଞ୍ଚି ମନ୍ତ୍ରୀ ରାସ୍ତା ଅବରୋଧର ସମୀକ୍ଷା କରିଥିଲେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ରାସ୍ତା ଉପରେ ଦୁଇଟି ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମନ୍ତ୍ରୀ ନିଜ ଉପସ୍ଥିତିରେ ଗଛଗୁଡ଼ିକୁ ହଟାଇବାର ବ୍ୟବସ୍ଥା କରିବା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପରେ ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମନ୍ତ୍ରୀ ବାତ୍ୟାଜନିତ କ୍ଷୟକ୍ଷତି ଓ ପ୍ରଶାସନିକ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଥିଲେ । ଗସ୍ତରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲାପାଳ, ଭାଜପା ପ୍ରତିନିଧି ମଣ୍ଡଳୀ ଓ କନ୍ଧମାଳ ସାଂସଦଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବିଦ୍ୟୁତ୍‌ ସେବା ବିପର୍ୟ୍ୟସ୍ତ ହୋଇପଡ଼ିଛି। ଗତ ଦୁଇ ଦିନ ଧରି ବ୍ଲକ୍‌ର ୨୫ଟି ପଞ୍ଚାୟତ ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ସରବରାହ ବନ୍ଦ ଯୋଗୁଁ ମୋବାଇଲ୍‌ ନେଟୱାର୍କ ଓ ଇଣ୍ଟରନେଟ୍‌ ସେବା ମଧ୍ୟ ଠପ୍‌ ହୋଇଯାଇଛି। ଏହାର ପ୍ରଭାବ ବ୍ୟାଙ୍କ, ଜନସେବା କେନ୍ଦ୍ର ଓ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟରେ ପଡ଼ିଛି । ଅନଲାଇନ୍‌ କାରବାର ଓ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ଲୋକେ ଅସୁବିଧା ଭୋଗୁଛନ୍ତି । ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକାଧିକ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସହ ତାର ଛିଣ୍ଡି ପଡ଼ିଛି । ଫଳରେ ବିଦ୍ୟୁତ୍‌ ସେବା ପୁନରୁଦ୍ଧାରରେ ସମସ୍ୟା ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବରେ ବିପର୍ଯ୍ୟସ୍ତ ଯୋଗାଯୋଗ ଓ ବିଦ୍ୟୁତ୍‌ ବ୍ୟବସ୍ଥା କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.