
ରାୟଗଡ଼ା : ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀ। ଏଭଳି ଘଟଣାକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହାତିଖମ୍ବା ଗ୍ରାମର ପାଗଳ ବାବାଙ୍କ ମନ୍ଦିରରୁ ଏହି ଚୋରି ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ବାବାଙ୍କ ପିତ୍ତଳ ମୂର୍ତ୍ତି ସହ ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ନେଇଛନ୍ତି। ତାଲା ଭାଙ୍ଗିବା ପାଇଁ ଲୁହା ରଡ୍ ଓ ଲୁହା କାଟିବା ବ୍ଲେଡ୍ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ତେବେ ଏହି ମନ୍ଦିରରୁ ଚୋରି ହେବା ଏହା ପ୍ରଥମ ଘଟଣା ନୁହେଁ। ଗତ ଶନିବାର ଦିନ ମଧ୍ୟ ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ହୋଇଥିବା ନେଇ ମୁକୁନ୍ଦପୁର ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଏହାର କିଛି ଦିନ ପରେ ପୁଣି ଚୋରି ହେବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଛି। ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଛି। ମନ୍ଦିରରୁ ବାରମ୍ବାର ଚୋରି ହେଉଥିବାରୁ ପୁଲିସ ତୁରନ୍ତ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଦୋଷୀଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି। ଏଥିସହ ଅଞ୍ଚଳରେ ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି। ପୁଲିସର ତଦନ୍ତ ପରେ ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଲୋକେ ।