
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଚାଷଜମିକୁ ଜଳଯୋଗାଣ ଆରମ୍ଭ ହୋଇଛି । ଏହି ପ୍ରକଳ୍ପର ବାମ କେନାଲ ଦ୍ଵାରା ୧୩୧୩୦ ହେକ୍ଟର ଚାଷଜମିକୁ ପାଣି ମାଡୁଥିବା ଜଣାଯାଇଛି । ଲୋଇସିଂହା ବ୍ଲକ ଅନ୍ତର୍ଗତ ୫୨ଟି ଗ୍ରାମ ସମେତ ବଲାଙ୍ଗିର ବ୍ଲକର ୧୩ଟି ଗ୍ରାମର ଚାଷଜମିକୁ ବାମ କେନାଲ ବାଟେ ଜଳ ଯୋଗାଣ ହେଉଛି । ଏଥିସହିତ ୨୬ ନଂ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ସେଚାଞ୍ଚଳ ସୀମା ସ୍ଥିର କରାଯାଇଛି । ଲୋଇସିଂହା ଗ୍ରାମ ପଞ୍ଚାୟତର ସେଚାଞ୍ଚଳ ଆର୍ଏମ୍-୯, ଆର୍ଏମ୍-୧୦, ଏଲ୍ଏମ୍-୫ ବିତରଣ ପ୍ରଣାଳୀର ଅଧିକାଂଶ ଅଂଶ ପ୍ରକଳ୍ପର ନିମ୍ନ ଅଂଶରେ ଅବସ୍ଥିତ । ଆର୍ଏମ୍-୯, ଆର୍ଏମ୍-୧୦ ଏବଂ ଏଲ୍ଏମ୍-୫ ମୁଣ୍ଡରେ ପରୀକ୍ଷା ମୂଳକ ଭାବେ ଜଳସେଚନ କରାଯାଉଛି । ଜଳସେଚନ ପାଇଁ ସୀମିତ କ୍ଷମତା ଥିବାରୁ ଏହି ଅନୁମୋଦିତ ସେଚାଞ୍ଚଳ ଉପରେ ଆଧାର କରି ଲୋଇସିଂହା ପଂଚାୟତର ଢୋଲମହୁଲ ମୌଜାର ୪୧.୬୮ ହେକ୍ଟର, ସୁଜିଆ ମୌଜାର ୧୬୨.୬୮ ହେକ୍ଟର ଓ କର୍ଲିପାଟ ମୌଜାର ୧୬୨.୬୮ ହେକ୍ଟର ଚାଷଜମି ଜଳସେଚିତ ହେଉଥିବା ଜଣାଯାଇଛି । ଏଥିସହିତ ହୀରାପୁର ପଞ୍ଚାୟତ ଅଧୀନ ମାଣ୍ଡିଆପଦର ଗ୍ରାମର ୧୬୨.୮ ହେକ୍ଟର ଜମିକୁ ପରୀକ୍ଷା ମୂଳକ ଭାବେ ଜଳସେଚନ ପ୍ରକ୍ରିୟା ଚାଲିଛି । ହୀରାପୁର ପଞ୍ଚାୟତ ଅନ୍ତର୍ଗତ ହୀରାପୁର, ଟେଭାଡୁଙ୍ଗୁରୀ, ଗୋପାଲପୁର, ବାର୍ଡୋଲ ତଥା ବୁର୍ଡା ପଂଚାୟତର ଗ୍ରାମ ଗୁଡ଼ିକ ଅନୁମୋଦିତ ସେଚାଞ୍ଚଳ ଅଧୀନରେ ନଥିବାରୁ ଉପରୋକ୍ତ ଗ୍ରାମ ଗୁଡ଼ିକୁ ଜଳସେଚନ ହୋଇପାରୁ ନାହିଁ । ଉପରୋକ୍ତ ଗ୍ରାମ ଗୁଡ଼ିକୁ ଅଙ୍ଗନଦୀର ମେଗାଲିଫ୍ଟ ଯୋଜନା ମାଧ୍ୟମରେ କୁଟାସିଂହା ଠାରେ ପ୍ରସ୍ତାବିତ ଆଇଏସ୍ଏସ୍ରୁ ଜଳସେଚନ କରାଯିବା ସକାଶେ ପ୍ରସ୍ତାବ ରହିଥିବା ଜଣାଯାଇଛି ।