jayashree

ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ, ୩ ଗିରଫ : ମୃତ କୁଟୁରା ସହ ତାର ଓ ଶିକାର ସାମଗ୍ରୀ ଜବତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପାହାନ୍ତିଆରେ ବନ କର୍ମଚାରୀମାନେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ମାଲିମୁଣ୍ଡା ଗ୍ରାମର ମନସାଇ ବାଛା (୬୬), ମକର ସୁନା (୩୧) ଏବଂ ଡାକାପୋଥା ଗ୍ରାମର ଗଙ୍ଗାଧର ବାଘ (୩୨) । ଘଟଣାସ୍ଥଳରୁ ଗୋଟିଏ ମୃତ କୁଟୁରା, ୨୧୫ ମିଟର ଜିଆଇ ତାର, ଗୋଟିଏ ବାଉଁଶ ଖୁଣ୍ଟ, ୧୩ଟି ବାଉଁଶ କିଳା ଏବଂ ଦୁଇଟି ହେଡ୍‌ ଟର୍ଚ୍ଚ ଜବତ କରାଯାଇଛି । ଏହି ଘଟଣାରେ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରାରେ ଓଆର୍‌ କେସ୍‌ ନଂ ୩୨/୨୦୨୬ -୨୭ ରୁଜୁ କରାଯାଇଛି । ଚଢ଼ଉ ଓ ଗିରଫ ଅଭିଯାନରେ ବେଲଘର ସେକ୍ସନ ବନପାଳ ରାଜେଶ୍ୱର ବଡ଼ମାଝୀ, ଗୁମା ସେକ୍ସନ ବନପାଳ ଦୀପକ ପ୍ରଧାନ, ବନରକ୍ଷୀ ଅଜିତ ଦିଗାଳ, ଧୁଡ଼ସି ବନରକ୍ଷୀ ସନ୍ଦୀପ ଦାଶଙ୍କ ସମେତ ବନ ସୁରକ୍ଷା ବାହିନୀର କର୍ମଚାରୀମାନେ ସାମିଲ ଥିଲେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଅବୈଧ ଶିକାର ରୋକିବା ପାଇଁ ବନ ବିଭାଗର ଏହି ଅଭିଯାନ ଜାରି ରହିଛି ।

Leave A Reply

Your email address will not be published.