jayashree

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସମଗ୍ର ରାଜ୍ୟରେ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି “ସାଧୁତାରୁ ସମୃଦ୍ଧି” ବା “probity for prosperity” । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜନ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଖୁସୱନ୍ତ ସିଂ, ରାଉରକେଲା ଭିଜିଲାନ୍ସ ଡିଭିଜନର ଅତିରିକ୍ତ ଅଧୀକ୍ଷକ ସୋମନାଥ ଜେନା, ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଶାଖାର ଡିଏସ୍‌ପି, ଦୈତାରି ଘଡେ଼ଇ, ଡିଏସ୍‌ପି ରାଜେନ୍ଦ୍ର ସିଂହଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସେହିଭଳି ଭିଜିଲାନ୍ସ ଡି.ଏସ୍‌.ପି ଶ୍ରୀ ଘଡ଼ାଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ରାଉରକେଲା ଭିଜିଲାନ୍ସ ଡିଭିଜନର ଅତିରିକ୍ତ ଅଧୀକ୍ଷକ ଶ୍ରୀ ଜେନା ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚ୍ଚୋଟର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସମାଜରୁ ଦୁର୍ନୀତିର ଦୂରୀକରଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ସମସ୍ତଙ୍କୁ ଦୁର୍ନୀତି ବିରୋଧରେ ସଜାଗ ଓ ସଚେତନ ରହିବାକୁ କହିଥିଲେ । ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା । ଆଜି ସେହି ପ୍ରତିଯୋଗିତା ଗୁଡ଼ିକରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀମତୀ ବୃନ୍ଦାବତୀ ତାଣ୍ଡି ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ, ବରିଷ୍ଠ ନାଗରିକ, ଭିଜିଲାନ୍ସ ବିଭାଗର କର୍ମଚାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି, ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟାଳୟ, ସମସ୍ତ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.