jayashree

ଜରାଜୀର୍ଣ୍ଣ ଅବସ୍ଥାରେ ୧୯୩୭ର ବଲାଙ୍ଗିର ଆୟୁର୍ବେଦ ଫାର୍ମାସୀ, ପୁନରୁଦ୍ଧାର ଦାବି ଜୋରଦାର

  • ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ପଡିବ କେବେ ?

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱାଭିମାନ ମଞ୍ଚ ପ୍ରାକ୍‌ ସ୍ୱାଧୀନତା ସମୟରେ ଅର୍ଥାତ୍‌ ୧୯୩୭ ମସିହାରେ ସ୍ଥାପିତ ଓଡିଶାର ସର୍ବ ପୁରାତନ ବଲାଙ୍ଗିର ଆୟୁର୍ବେଦ ଫାର୍ମାସୀ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ନିଜର ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଛି । ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଓ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳର ପରିଦର୍ଶନରୁ ଏହି ଦୁଃଖଦ ସ୍ଥିତି ଜଣାପଡିଛି । ଦିନ ଥିଲା ଏହି ଫାର୍ମାସୀରୁ ୯୪ ପ୍ରକାରର ମେଡିସିନ୍‌ ପ୍ରସ୍ତୁତ ହୋଇ ସାରା ଓଡିଶାକୁ ଯୋଗା ଯାଉଥିଲା । ୬୨ ଜଣ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ନିଷ୍ଠାପର ଉଦ୍ୟମରେ ତଥା ତଦାନିନ୍ତନ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅତି ଉନ୍ନତ ମାନର ଔଷଧ ପ୍ରସ୍ତୁତିରେ ଏହା ସାରା ଓଡିଶାରେ ନାଁ କରିଥିଲା । ଧୀରେ ଧୀରେ ଏହି ସଂଖ୍ୟା ୪୨ ଏବଂ ଏବେ ଦୁଇଜଣ ମାତ୍ର କର୍ମଚାରୀଙ୍କୁ ନେଇ ମାତ୍ର ୪ଟି ଚୁର୍ଣ୍ଣ, ଗୋଟିଏ ମଲମ ଏବଂ ଗୋଟିଏ ତୈଳ ପ୍ରସ୍ତୁତି କରି ନାମକୁ ମାତ୍ର ନିଜକୁ ବଞ୍ଚାଇ ରଖିଛି । ଦିନ ଥିଲା ହରିଶଙ୍କର ଓ ନୃସିଂହନାଥରୁ ସଂଗୃହୀତ କଞ୍ଚାମାଲରେ ଔଷଧ ପ୍ରସ୍ତୁତ ହେଉଥିଲା । କିନ୍ତୁ ଆଜି କଞ୍ଚାମାଲ ପାଇଁ ଏବଂ ଔଷଧର ମାନ ଓ ଗୁଣବତ୍ତା ନିର୍ଦ୍ଧାରଣ ନିମନ୍ତେ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଛି । ଜଙ୍ଗଲ ବିଭାଗରୁ କାଠ ମିଳିଲେ ଯାଇ କାମ ଆରମ୍ଭ କରିବାକୁ ପଡୁଛି । ସେ ସମୟର ଶହଶହ ମେସିନ ଅକାମୀ ହୋଇ ଖତ ଖାଉଛି । ଔଷଧ ତିଆରିରେ ଆଜିକାଲି ଅନେକ ନୂତନ କୌଶଳ ବାହାରିଥିଲେ ହେଁ ଏଠି କିଛି ନାହିଁ । ଔଷଧକୁ ପ୍ୟାକେଜିଂ କରିବା ପାଇଁ ମେସିନ ନଥିବାରୁ ହାତରେ କରିବା ପାଇଁ ଲୋକବଳର ଅଭାବ ତ ରହୁଛି । ତା’ ସହିତ ଏହା ସମୟ ସାପେକ୍ଷ ହୋଇଥିବାରୁ କେହି ଲୋକ କାମ କରିବାକୁ ରାଜି ହେଉନାହାନ୍ତି । ରାତ୍ରୀ ଜଗୁଆଳୀ ନ ଥିବାରୁ ଅଧିକାଂଶ ସମୟରେ ଏଠାରୁ ଚୋରି ହେଉଛି । ବର୍ତ୍ତମାନ ଜଣେ ସୁପରିଟେଣ୍ଡେଣ୍ଟ, ଜଣେ ମେଡିକାଲ ଅଫିସର ଓ ଦୁଇ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଏହି ସଂସ୍ଥା ଚାଲିଛି । ବିରାଟ ସମ୍ମିଳନୀ କକ୍ଷ, ଲାଇବ୍ରେରୀ, ପ୍ରତ୍ୟେକ ବିଭାଗ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର କକ୍ଷ ଆଜି ଖାଁ ଖାଁ ଲାଗୁଛି । ମୁଖ୍ୟ କୋଠାକୁ ପୂର୍ତ୍ତ ବିଭାଗ ଅସୁରକ୍ଷିତ ଘୋଷଣା କରିବାରୁ ତାକୁ ଖୁବ ଶୀଘ୍ର ଭାଙ୍ଗି ଦିଆଯିବ । ବିନା ଫାର୍ମାସିଷ୍ଟରେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଥିବା ଫାର୍ମାସୀକୁ ଜୀବନ୍ୟାସ ଦେଲେ କେବଳ ଯେ, ଜନସାଧାରଣ ଉପକୃତ ହେବେ ତାନୁହଁ ବରଂ ସିଧାସଳଖ ଭାବେ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ବ୍ୟବହାରିକ ଜ୍ଞାନ କୌଶଳରେ ନିଜକୁ ଅଧିକ ସମୃଦ୍ଧ କରିପାରନ୍ତେ । ସଦସ୍ୟମାନଙ୍କ ପରବର୍ତ୍ତୀ ପରିଦର୍ଶନ ସ୍ଥଳ ନିର୍ମାଣାଧୀନ ଜିଲ୍ଲା ମୁଖ୍ୟ ପ୍ରେକ୍ଷାଳୟ ଥିଲା । ୨୦୨୩ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରଦତ୍ତ ୮ କୋଟି ଟଙ୍କା ଅନୁଦାନରେ ଏହାର କାର୍ଯ୍ୟାରମ୍ଭ ହୋଇଥିଲା । ବିଲ୍ଡିଂ କାମ ଆଉ ଦୁଇ ତିନି ମାସରେ ସରିବାକୁ ଥିଲେହେଁ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟୀକରଣ ତଥା ଆଲୋକ ଏବଂ ଶବ୍ଦ ବ୍ୟବସ୍ଥା ପାଇଁ ଆହୁରି କିଛି ସମୟ ଲାଗିପାରେ ବୋଲି ଦାୟିତ୍ୱରେ ଥିବା ଜେଇ ପ୍ରକାଶ କରିଥିଲେ । ଏତେ ବିରାଟ ପ୍ରେକ୍ଷାଳୟରେ ମାତ୍ର ୫୦୦ ଜଣଙ୍କ ବସିବା ପାଇଁ ବ୍ୟବସ୍ଥା ରହି ଥିବାରୁ ମଂଚ ଅସନ୍ତୋଷ ବ୍ୟକ୍ତ କରିଥିଲା । ଏଥିପାଇଁ କର୍ତ୍ତୃପକ୍ଷଙ୍କ ଦୁରଦୃଷ୍ଟିର ଅଭାବ ଏବଂ ଖାମଖିଆଲି ମନୋଭାବକୁ ଦାୟୀ କରାଯାଇଥିଲା । ଏହାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କତ୍‌ର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ୩ୟ ପର୍ଯ୍ୟାୟରେ ମଂଚର ସଦସ୍ୟମାନେ ଜିଲ୍ଲା ପର୍ଯ୍ୟଟନ ଅଫିସ ପରିଦର୍ଶନ କରି ସେଠାରେ ଚିରାଚରିତ ଭାବେ ଷ୍ଟାଫ୍‌ ନଥିବା କଥା ଜାଣିବାକୁ ପାଇଥିଲେ । ଜଣେ ଅଫିସର ଓ ଦୁଇଜଣ ଅଫିସ କର୍ମଚାରୀଙ୍କୁ ନେଇ ସଂସ୍ଥା ବର୍ତ୍ତମାନ ଚାଲୁଥିବା ବେଳେ ଆଗାମୀ କିଛି ମାସ ମଧ୍ୟରେ ଅନ୍ୟ ଜଣେ କର୍ମୀ ରିଟାୟାର୍ଡ ହୋଇଗଲେ ସଂସ୍ଥା କିପରି ଚାଲିବ ସେଥିନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆଲୋଚନା ସମୟରେ ଆଠଗାଁର ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାନଧାତା ମାଝୀଙ୍କ ଜନ୍ମସ୍ଥାନ, ସୁର୍ଡା ଏବଂ କଗାଁର ଶିବ ମନ୍ଦିର, ଭୀମ ଡୁଙ୍ଗୁରୀ ପାହାଡ ଓ ଲୋୟର୍‌ ସୁକତେଲ ପାଶ୍ୱର୍ବର୍ତ୍ତୀ ଅଂଚଳକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରିବାକୁ ଦାବି କରାଯାଇଥିଲା । ହରିଶଙ୍କର ଓ ରାଣୀପୁର ଝରିଆଲକୁ ଅଧିକ ପର୍ଯ୍ୟଟକଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସରକାରଙ୍କ ପରାମର୍ଶ ଦିଆଯାଇଥିଲା । ଏହି ପରିଦର୍ଶନରେ ସର୍ବଶ୍ରୀ ଭକ୍ତବନ୍ଧୁ ଯୋଷୀ, ଡ. ପ୍ରଶାନ୍ତ ପ୍ରଧାନ, ଉମାକାନ୍ତ ସାହୁ, ଜ୍ୟୋାତିରାଜ ନାଗ, ତ୍ରିଲୋଚନ ମହାପାତ୍ର, ଚିତ୍ତ ରଞ୍ଜନ ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.