jayashree

ସିଏଚ୍‌ଏସ୍‌ଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ବଲାଙ୍ଗିରକୁ ୫ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଡୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସିଏଚ୍‌ଏସ୍‌ଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ପ୍ରତିଷ୍ଠିତ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯାଇଥିବା ୬ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ଏହି ସଫଳତା ହାସଲ କରିଛି । ଏଥିରେ ବାଳିକା ବିଭାଗରେ କ୍ରୀଷ୍ଣା ମେହେର ୪୪-୪୬ କି.ଗ୍ରା. ଓଜନ ଖିରୋଗୀ ବିଭାଗରେ ସ୍ୱର୍ଣ୍ଣ ପଦକ, ଅଭୀପ୍ସା ସାହୁ ୫୨-୫୫ କେଜିରେ ରୌପ୍ୟ ପଦକ, ସରିତା ନାୟକ -୪୦ କେଜିରେ ବ୍ରୋଞ୍ଜ ପଦକ, ମଧୁସ୍ମିତା ମିଶ୍ର ୪୬-୪୯ କେଜିରେ ବ୍ରୋଞ୍ଜ ପଦକ ଓ ଜଗନ୍ନାଥ ମେହେର ୫୧-୫୫ କେଜି ବାଳକ ଖିରୋଗୀ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ପାଇଁ ସରକାରୀ ବଲାଙ୍ଗିର କଲେଜ ପକ୍ଷରୁ ଅସୀମ ଭୋଇଙ୍କୁ କୋଚ ଭାବରେ ମନୋନୀତ କରାଯାଇଥିବା କଲେଜ ତରଫରୁ ସୂଚନା ଦିଆଯାଇଛି । ଏହି ପ୍ରତିଯୋଗିତା ପାଇଁ ବଲାଙ୍ଗିର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ କୋଚ ଅସୀମ ଭୋଇ ବିନା ମୂଲ୍ୟରେ ନିଃସ୍ୱାର୍ଥପର ଭାବରେ ଟାଇକୋଣ୍ଡୋ ପ୍ରଶିକ୍ଷଣ ପ୍ରଦାନ କରିଥିବା ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନେ ପ୍ରକାଶ କରିଛନ୍ତି । କୋଚ ଶ୍ରୀ ଭୋଇଙ୍କ ଏପରି ନିଃସ୍ୱାର୍ଥପର ସେବା ଓ ଉତ୍ସର୍ଗୀକୃତ ଭାବନାକୁ କଲେଜ ଅଧ୍ୟକ୍ଷ ଡ. କୌତୁକ କନ୍ଦର ଭୂୟସୀ ପ୍ରଶଂସା କରିଛନ୍ତି । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରୀଷ୍ଣ ମେହେର ଆଗାମୀ ନଭେମ୍ବରରେ ରାଞ୍ଚି ଠାରେ ହେବାକୁ ଥିବା ସିଏଚ୍‌ଏସ୍‌ଇ (ଏସ୍‌ଜିଏଫ୍‌ଆଇ) ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କ ଏହି ଗୌରବ ଜନକ ସଫଳତା ଏବଂ କୋଚଙ୍କ ନିଃସ୍ୱାର୍ଥପର ପ୍ରୟାସ ପାଇଁ ବଲାଙ୍ଗିର କଲେଜର ସମସ୍ତ ଅଧ୍ୟାପକ, କ୍ରିଡାପ୍ରେମୀ ଏବଂ ଜିଲ୍ଲାବାସୀ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ସମସ୍ତ ବିଜେତା ଏବଂ କୋଚ ଶ୍ରୀ ଭୋଇଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.