jayashree

ଉଷା ମଙ୍ଗେଶକରଙ୍କୁ ମିଳିବ ଭୂପେନ ହଜାରିକା ଜାତୀୟ ପୁରସ୍କାର

ଆସାମ : ଭାରତୀୟ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଉଷା ମଙ୍ଗେଶକରଙ୍କୁ ମିଳିବ ସମ୍ମାନଜନକ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’ । ଆସାମ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ୯୦ ବର୍ଷୀୟା ଉଷା ମଙ୍ଗେଶକରଙ୍କୁ ଏଥିପାଇଁ ମନୋନୀତ କରାଯାଇଛି । ଆସନ୍ତା ନଭେମ୍ବର ୨୯ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନିତ କରିବେ । ପୁରସ୍କାର ସ୍ୱରୂପ ୧୦ ଲକ୍ଷ ଟଙ୍କା ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି । କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ସାନ ଭଉଣୀ ଉଷା ମଙ୍ଗେଶକର ହିନ୍ଦୀ, ମରାଠୀ, ବଙ୍ଗଳା, ଓଡ଼ିଆ, ଅସମୀୟା ସମେତ ବିଭିନ୍ନ ଭାଷାରେ କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସଙ୍ଗୀତ, କଳା ଓ ସିନେମା କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କୁ ପ୍ରତି ତିନି ବର୍ଷରେ ଥରେ ଏହି ସମ୍ମାନ ପ୍ରଦାନ କରାଯିବ । ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାପନ ଉତ୍ସବ ଅବସରରେ ଏହି ସମାରୋହ ଆୟୋଜିତ ହେବ । ତାଙ୍କର ସଙ୍ଗୀତ ଓ ସାଂସ୍କୃତିକ ଐତିହ୍ୟକୁ ଆଗକୁ ବଢ଼ାଇବା ଏହି ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.