
ଭୁବନେଶ୍ୱର : ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ଆଶଙ୍କା । ସମୁଦ୍ରରେ ସୃଷ୍ଟି ଅବପାତ କ୍ରମଶଃ ଘନୀଭୂତ ହେଉଥିବା ବେଳେ ଏହା ଆଗକୁ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ । ଏପରିକି ଏହାର ତୀବ୍ରତା ଅଧିକ ବଢ଼ିବାର ଆଶଙ୍କା ମଧ୍ୟ କରାଯାଉଛି । ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଥିବା ଏହି ଅବପାତ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ପାଣିପାଗ ଆକଳନ ଅନୁସାରେ, ଆସନ୍ତା ୨୮ ତାରିଖ ସକାଳ ସୁଦ୍ଧା ଏହା ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପାଣିପାଗରେ ପରିବର୍ତ୍ତନ ହେବା ଆଶଙ୍କା ରହିଛି । ତେବେ ବାତ୍ୟାର ଗତିପଥ, ତୀବ୍ରତା ଏବଂ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ କେତେ ରହିବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ । ପରିସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ ପରବର୍ତ୍ତୀ ବୁଲେଟିନ୍ରେ ଅଧିକ ସୂଚନା ମିଳିବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି ।