
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୌଳିକ ସୁବିଧାର ଅଭାବ, ହେଲେ ପାର୍କିଂ ଫି ଆକାଶଛୁଆଁ । ବଲାଙ୍ଗିର ରେଳ ଷ୍ଟେସନରେ ଯାନବାହନ ପାର୍କିଂ ପାଇଁ ଅତ୍ୟଧିକ ଫି ଆଦାୟକୁ ନେଇ ତେଜିଲା ଅସନ୍ତୋଷ । ଏହାର ପ୍ରତିବାଦରେ ବିଭିନ୍ନ ସାମାଜିକ, ଶ୍ରମିକ ଓ କୃଷକ ସଂଗଠନ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏକଜୁଟ ହୋଇ ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରେଳବାଇର ଡିଭିଜନାଲ ରେଳ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ରେଳ ଷ୍ଟେସନର ସିନିୟର ଷ୍ଟେସନ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁସାରେ, ପାର୍କିଂ ସ୍ଥଳରେ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ଛାତ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନାହିଁ । ତଥାପି ଅଧିକ ପାର୍କିଂ ଫି ଆଦାୟ କରାଯାଉଥିବାରୁ ସାଧାରଣ ଲୋକଙ୍କ ଉପରେ ଅଯଥା ଆର୍ଥିକ ବୋଝ ପଡ଼ୁଛି । ତେଣୁ ପାର୍କିଂ ଫି’ର ଯୁକ୍ତିଯୁକ୍ତତା ଯାଞ୍ଚ କରି ଏହାକୁ ସଂଶୋଧନ କରିବା ସହ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସଂଗଠନଗୁଡ଼ିକ ଦାବି କରିଛନ୍ତି । ଏହି ପ୍ରତିବାଦରେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଆଶିଷ ପାଣ୍ଡେଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ଏବେ ରେଳବାଇ କର୍ତ୍ତୃପକ୍ଷ ଏହି ଦାବି ଉପରେ କି ପଦକ୍ଷେପ ନେଉଛନ୍ତି, ତାହାକୁ ଅପେକ୍ଷା ।