
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀରେ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଏହି ଚୟନ କରାଯାଇଛି । ମହାବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ, ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରୀ ସିଦ୍ରା କୁରେଶି ଛାତ୍ର ସଂସଦର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ହର ରଣା ଉପସଭାପତି ହୋଇଛନ୍ତି । ସେହିପରି ତୃତୀୟ ବର୍ଷ କଳା ବିଭାଗର ଛାତ୍ରୀ ତନୁଶ୍ରୀ ମଚ୍ଛଖଣ୍ଡ ସାଧାରଣ ସମ୍ପାଦକ, ଚିନ୍ମୟୀ ସାହୁ ଡିଏସ୍ଏ ସମ୍ପାଦକ, ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ ସୋନାଲୀ ରଣା ନାଟ୍ୟ ସଂସଦ ସମ୍ପାଦକ ଏବଂ ତେଜସ୍ୱୀ କୁମାର ଛୁରା କ୍ରୀଡ଼ା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।