
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଳା ଲୋଇସିଂହା ଏନ୍ଏସି ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ କିଡନି ରୋଗ ତାର କାୟା ବିସ୍ତାର କରିବାରେ ଲାଗିଛି । ଗ୍ରାମର ଶତାଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ଥିବାବେଳେ ଅନେକେ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ଏହି ରୋଗରେ ଗତକାଲି ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପତ୍ରାପାଲି ଗ୍ରାମର ରାଜକୁମାର ବାଗ (୫୪) । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ତଥା ନିଜ ସମାଜ ପାଇଁ ସର୍ବଦା ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୂଚନା ମତେ, ପତ୍ରପାଲି ଗାଁରେ ବସବାସ କରୁଥିବା ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ଏବଂ ଶ୍ରମଜୀବୀ ଅଟନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଅଧିକାଂଶ ଲୋକ କିଡନୀ ରୋଗରେ ପୀଡିତ । ଏହାର ମୁଖ୍ୟ କାରଣ ହେଉଛି ପାଣି । ଗାଁରେ ଥିବା ୩ଟି ନଳକୂପରୁ ଫ୍ଲୋରାଇଡ୍ ଯୁକ୍ତ ପାଣି ବାହାରୁଥିବା ସରକାରୀ ପରୀକ୍ଷାରୁ ଜଣାପଡିଛି । ବ୍ଲକ ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ୨ଟି ଫିଲ୍ଟର ଲଗାଯାଇଥିଲେ ହେଁ ତାହା କାମ କରୁନାହିଁ । ଗରିବ ଆଦିବାସୀ ଲୋକେ ପଇସା ଅଭାବରୁ ବଲାଙ୍ଗିର ଏବଂ ଆଖପାଖରେ ଠିକ୍ ଭାବେ ଚିକିତ୍ସା ପାଇ ପାରୁନାହାନ୍ତି । ଏହି ଗମ୍ଭୀର ସମସ୍ୟା ପ୍ରତି ଆଜି ଯାଏଁ ପ୍ରଶାସନ ଅଥବା କୌଣସି ରାଜନେତା ଦୃଷ୍ଟି ଦେଇ ନାହାନ୍ତି । ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ । ତୁରନ୍ତ ଏହି ଗାଁ ପ୍ରତି ଉପଯୁକ୍ତ ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହିତ କିଡନୀ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।