
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବାର ଏକ ଅନନ୍ୟ ମଞ୍ଚ ପାଲଟିଛି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ । ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ଟି ବିଦ୍ୟାଳୟ ଓ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ମୁଖ୍ୟ ଅତିଥି ଏବଂ ସିଡିପିଓ ଇନ୍ଦିରା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ମଞ୍ଚ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ମହୋତ୍ସବରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ଏପରି ୪ଟି ବର୍ଗରେ ମୋଟ ୩୬ଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାୟନ ପାଇଁ ୩୦ ଜଣ ବିଚାରକ ନିୟୋଜିତ ହୋଇଥିଲେ । ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିବା ସହ ପରସ୍ପରର ପ୍ରତିଭାକୁ ଜାଣିବାର ସୁଯୋଗ ପାଇଥିଲେ । ଉଦ୍ଯାପନୀ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ ଡ. ମଧୁସୂଦନ ମହାପାତ୍ର ମୁଖ୍ୟ ଅତିଥି, ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟବକ୍ତା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ ଶିକ୍ଷା ସହିତ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉଦ୍ଯାପନୀ ସଭାରେ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୟାନିଧି ମହାରଣା ସଭାପତିତ୍ୱ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନୀ ସାହୁ ସଭା ପରିଚାଳନା କରିଥିଲେ । ମଦନ ମୋହନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅମୂଲ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସୁରଭି ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କେବଳ ପ୍ରତିଯୋଗିତାର ସୁଯୋଗ ମିଳିନଥିଲା, ବରଂ ନିଜ ଦକ୍ଷତାକୁ ଚିହ୍ନିବା ଓ ଆଗକୁ ବଢ଼ିବା ପାଇଁ ଏକ ଉତ୍ସାହଜନକ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା ।