jayashree

ବଲାଙ୍ଗିରରେ ମା’ ପାଟଣେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୂଆ ଧାନ ଓ ପାହୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗିର ସହର । ପୁରପଲ୍ଲୀରେ ନୂଆଁଖାଇର ଉତ୍ସାହ ମଧ୍ୟରେ ଜୀବନ୍ତ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରାଚୀନ ପରମ୍ପରା । ପାଟଣା ବା କୋଶଳ ରାଜ୍ୟର ଇଷ୍ଟଦେବୀ ତଥା ୪୮ ପାଟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ନିକଟକୁ ପହଞ୍ଚିଛି ନୂଆ ଧାନ ଓ ପାହୁର । ସାଲେଭଟା ଗାଁର ଦେବୀଙ୍କ ଚାଷଜମିରୁ ସ୍ୱତନ୍ତ୍ର ଭାବେ ସଂଗୃହୀତ ନୂଆ ଧାନ ଓ ପୂଜା ସାମଗ୍ରୀକୁ ଶୋଭାଯାତ୍ରାରେ ବଲାଙ୍ଗିର ସହରର ଲୋକନାଥ ମନ୍ଦିରରୁ ପାଟଣେଶ୍ୱରୀ ମନ୍ଦିରକୁ ଅଣାଯାଇଥିଲା । ପରେ ମନ୍ଦିର ପୂଜକ ଅଭିଳାଷ ଦିସ୍ରୀ ବେଦମନ୍ତ୍ର ଉଚ୍ଚାରଣ ସହ ସମସ୍ତ ସାମଗ୍ରୀକୁ ବିଧିବଦ୍ଧ ଭାବେ ଗ୍ରହଣ କରିଥିଲେ । ନିର୍ଦ୍ଧାରିତ ଲଗ୍ନ ଓ ନୀତିନିର୍ଘଣ୍ଟ ଅନୁସାରେ ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ଏହାପରେ ଭକ୍ତମାନଙ୍କ ମଧ୍ୟରେ ନବାନ୍ନ ବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ୨ ହଜାରରୁ ଅଧିକ ଭକ୍ତଙ୍କୁ ନବାନ୍ନ ବଣ୍ଟନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଲେଭଟା ଗ୍ରାମର ମନ୍ଦିର କମିଟି ମଧ୍ୟ ସାମିଲ ହୋଇଥିଲା । ଗାଁର ନିମାଇଁ ମହାକୁର ଓ ଅଜିତ ମେହେର ସ୍ୱତନ୍ତ୍ର ଭାବେ ନୂଆ ଧାନ ଆଣି ମା’ଙ୍କ ପୂଜାରେ ଅର୍ପଣ କରିଥିଲେ । ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର ଓ ବିଶିଷ୍ଟ ଲେଖକ ଜୟ କୁମାର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସମ୍ପାଦକ ପ୍ରଶାନ୍ତ ମହାକୁରଙ୍କ ସମେତ ଅନେକ ସଦସ୍ୟ ଓ ସହରର ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାଚୀନ ଦେବାଳୟ, ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଜୀବନ୍ତ ରଖିବା ଲକ୍ଷ୍ୟରେ ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ସହରବାସୀ ।

Leave A Reply

Your email address will not be published.